ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ! ରାଜଧାନୀ, କଟକ ଓ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା ପୁଲିସ୍

45

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାରେ ଦୁଇ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତି ରାଜଧାନୀ, କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ କମିଶନରେଟ ପୁଲିସ ଓ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱରରେ ରହଣୀ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ୮୦ପ୍ଲାଟୁନରୁ ଅଧିକ ଫୋର୍ସ, ୨୫୦ଜଣ ଅଫିସର ଓ ୪ଜଣ ଡିସିପି ନିୟୋଜିତ ହେବେ ।

ଆସନ୍ତାକାଲି ଦିନ ୧୧ଟା ବେଳେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଂଚିବେ ରାଷ୍ଟ୍ରପତି । ସେଠାରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବେ । ଏହାପରେ ରାମନାଥ କୋବିନ୍ଦ କଟକ ଯାଇ ନେତାଜୀ ସୁଭାଷଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ, ଆନନ୍ଦ ଭବନ, ନ୍ୟାସନାଲ ଲ’ ୟୁନିଭର୍ସିଟି ଏବଂ ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । କଟକରେ ସୁରକ୍ଷାରେ ରହିବେ ୭୧ପ୍ଲାଟୁନ ପୁଲିସ ଫୋର୍ସ, ୨ଶହରୁ ଅଧିକ ପୁଲିସ ଅଫିସର ଓ ଆଇଜି ପାହ୍ୟାର କେନ୍ଦ୍ରୀୟ ଟିମ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ।

କଟକ ପରେ ହେଲିକପ୍ଟର ଯୋଗେ ପୁରୀ ଯାଇ ରାତିରେ ସର୍କିଟ ହାଉସରେ ରହିବେ । ରବିବାର ଦିନ ଶ୍ରୀଜୀଉଙ୍କୁ ଦର୍ଶନ କଲା ପରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରି ସଡକ ପଥରେ ଜଟଣୀ ଅରୁଗୁଳ ସ୍ଥିତ ଆଇଆଇଟିର ସମାବର୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିମାନ ବନ୍ଦର, କଟକ ଓ ଜଟଣୀ କାର୍ଯ୍ୟକ୍ରମସ୍ଥଳକୁ ଯାଇ ଯାଂଚ କରାଯାଇଛି । ଏହାସହ ଗତକାଲି ଭୁବନେଶ୍ୱରରେ ଏକ କାରକେଡ ଅଭ୍ୟାସ ମଧ୍ୟ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବନ ଏବଂ ସେଠାରୁ ଜଟଣୀ ଅରୁଗୁଳକୁ ଯାଇ ପ୍ରାକ୍ ଅଭ୍ୟାସ କରାଯାଇଛି ।