୨୦୧୯ ନିର୍ବାଚନ ପାଇଁ ସଜବାଜ ! ଗତଥର ଭଳି ସମସ୍ତ ଆସନରେ ନିର୍ବାଚନ ଲଢିବନି ଆମ୍ ଆଦମୀ ପାର୍ଟି ।

166

୨୦୧୯ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିଶେଷ କରି ନୂଆବର୍ଷ ଅବସରରେ ଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବଡ ବଡ ହୋର୍ଡିଂ ଏବଂ ପୋଷ୍ଟର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଆମ୍ ଆଦମୀ ପାର୍ଟି ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ନିର୍ବାଚନକୁ ନେଇ ନୂଆ ରଣନୀତି ଆପଣେଇଛି ଦଳ । ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ପୂର୍ବ ବର୍ଷ ଭଳି ସମସ୍ତ ଆସନରେ ନିର୍ବାଚନ ଲଢିବନି ଦଳ । କେବଳ ୩୩ଟି ସିଟ୍ ଉପରେ ଏବେ ଫୋକସ କରିଛି ଆମ୍ ଆଦମୀ ପାର୍ଟି । ଯେଉଁଥିରେ ଦିଲ୍ଲୀର ୭ଟି ଆସନ ରହିଥିବା ବେଳେ, ପଞ୍ଜାବର ୧୩ଟି, ହରିୟାଣାର ୧୦ଟି, ଗୋଆର ୨ଟି ଏବଂ ଚଣ୍ଡିଗଡର ଗୋଟିଏ ଆସନ ରହିଛି ।

ଆଗାମୀ ଫେବୃୟାରୀ ୧୫ ତାରିଖ ମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାର ସମସ୍ତ ଆଶାୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଆମ୍ ଆଦମୀ ପାର୍ଟି । ତେବେ ପଞ୍ଜାବରେ ଦଳ ଫୋକସରେ ଥିବା ୧୩ଟି ଲୋକସଭା ଆସନ ମଧ୍ୟରୁ ୫ଟି ସିଟ୍ ପାଇଁ ଆମ୍ ଆଦମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ସାରିଲାଣି । ସେହିପରି ଦିଲ୍ଲୀରେ ୫ଟି ଆସନ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି, ଯେଉଁମାନେ କି ଦଳ ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ବଡ ରଣନୀତି ଆପଣେଇ ପାରେ ବୋଲି ଅନୁମାନ କରାଯାଉଛି ।