‘ଆପ’ର ୨୦ ବିଧାୟକଙ୍କୁ ‘ଜୀବନଦାନ’! ରକ୍ଷାପାଇଗଲା କ୍ରେଜିୱାଲଙ୍କ ସରକାର

56

ଜୀବନଦାନ ପାଇଲେ ଆମ୍ ଆଦମୀ ପାର୍ଟି ତଥା ଆପର ୨୦ ବିଧାୟକ । ଶୁକ୍ରବାର ଆପ ପାର୍ଟିକୁ ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆପର ୨୦ ଜଣ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରିବା ପାଇଁ ନିର୍ବାଚନ କମିଶନ କରିଥିବା ସୁପାରିସ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ନିର୍ବାଚିତ ଜନ ପ୍ରତିନିଧି ଆଇନ୍ରେ ରହିଥିବା ‘ଅଫିସ୍ ଅଫ୍ ପ୍ରଫିଟ୍’ର ନିୟମକୁ ଆପର ଏହି ୨୦ ଜଣ ବିଧାୟକ ଉଲ୍ଲଂଘନ କରିଥିବା ଦର୍ଶାଇ ନିର୍ବାଚନ କମିଶନ ସଦସ୍ୟ ପଦ ରଦ୍ଦ କରିବା ପାଇଁ ସୁପାରିସ୍ କରିଥିଲେ। କିନ୍ତୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହିତ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଧାୟକଙ୍କ ଯାଚିକା ଉପରେ ପୁର୍ନବାର ଶୁଣାଣି ହେଉ।

ଲାଭଜନକ ପଦ ମାମଲାରେ ନିର୍ବାଚନ ଆୟୋଗ ଗତ ଜାନୁଆରୀ ୧୯ ତାରିଖରେ ୨୦ ଜଣ ବିଧାୟକଙ୍କ ସଦ୍ୟସତା ରଦ୍ଦ କରିଥିଲେ । କିନ୍ତୁ ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ଦିଲ୍ଳୀ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଆଜି ଏହା ଉପରେ ବଡ ନିଷ୍ପତି ଶୁଣାଇଛନ୍ତି । କୋର୍ଟର ନିଷ୍ପତି ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ଶେଷରେ ସତ୍ୟର ବିଜୟ ହେଲା । ଏହାସହ ଦିଲ୍ଲୀ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି କ୍ରେଜିୱାଲ । କୋର୍ଟରୁ ଆଶ୍ଵସ୍ତି ମିଳିବା ପରେ ଆପ୍ ନେତା ଅଳକା ଲାମ୍ବା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଆପର ୨୦ ବିଧାୟକଙ୍କ ସଦସ୍ୟ ପଦ କାଏମ ରହିବ ଏବଂ ଯେଉଁ ଲୋକେ ସରକାର ଭଙ୍ଗ କରିବାକୁ ଉଦ୍ୟମ କରୁଥିଲେ ସେମାନଙ୍କୁ ଏହା ଉଚିତ୍ ଶିକ୍ଷା।