ବଡ ବଡ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କା ଛାଡ, କିନ୍ତୁ ଗରିବ ଚାଷୀଙ୍କ ପାଇଁ ଦିନକୁ ୧୭ ଟଙ୍କା । ମୋଦିଙ୍କ ଶେଷ ବଜେଟକୁ କଡା ସମାଲୋଚନା କଲେ ଆପ୍ ନେତା

138
ମୋଦିଙ୍କ ‘ବଜେଟ’ ବାକ୍ସ ଉଭୟ ମଧ୍ୟବିତ୍ତ  ଓ ଚାଷୀଙ୍କୁ ଖୁସ କରିଥିବା କୁହାଯାଉଥିବା ବେଳେ ଏବେ  ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଆପ୍ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଖାସକରି ଚାଷୀଙ୍କ ପାଇଁ ବାର୍ଷିକ ୬୦୦୦ ଟଙ୍କାର ସହାୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ । ମୋଦି ସରକାର କେବଳ ଚାଷୀଙ୍କୁ ମିଛ ସ୍ୱପ୍ନ ଦେଖାଇଛନ୍ତି  । ଚାଷୀଙ୍କ ଋଣଛାଡ ବଦଳରେ ଦେଶର ବଡ ବଡ ଉଦ୍ୟୋଗପତିଙ୍କ ଋଣଛାଡ କରିଛନ୍ତି ସରକାର ।  ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ନୁହେଁ ବରଂ ଦିନକୁ ୧୭ ଟଙ୍କା ଦେଇ ଏହାକୁ ସର୍ଜିକାଲ ଷ୍ଟ୍ରାଇକ କହୁଛନ୍ତି ସରକାର । କିନ୍ତୁ ଜାଣି ରଖିବା ଉଚିତ୍ ଯେ, ଏହା ପାକିସ୍ତାନ ନୁହେଁ ବରଂ ଭାରତ । ତେଣୁ ସରକାର ଏଭଳି ଶବ୍ଦ ବ୍ୟବହାର ନ କରିବା ଉଚିତ୍ ।
ସଞ୍ଜୟ କହିଛନ୍ତି, ଚାଷୀଙ୍କ ବାବଦରେ କହିବାର ମୋଦି ସରକାରଙ୍କର କୌଣସି ହକ୍ ନାହିଁ । କାରଣ ଚାଷୀଙ୍କୁ ଫସଲ ଉପରେ ସଠିକ୍ ଦାମ ମିଳୁନଥିବା ବେଳେ ବାଧ୍ୟ ହୋଇ ରାସ୍ତା ଉପରେ ଖାଦ୍ୟଶସ୍ୟ ଫୋପାଡୁଛନ୍ତି  । ଏପରିକି ଋଣଛାଡ ନ କରିବା ଯୋଗୁଁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ବଡ ବଡ ଉଦ୍ୟୋଗପତିଙ୍କୁ କୋଟି କୋଟି ଟଙ୍କାର  ଋଣଛାଡ କରାଯାଉଥିବା ବେଳେ ଓଟ ମୁହଁରେ ଜିରା ଦେବା ଭଳି ଚାଷୀଙ୍କୁ ସହାୟତା ଦେଇଛନ୍ତି  ସରକାର । ଏପରିକି ଯେତେବେଳେ ନିରବ ମୋଦି, ବିଜୟ ମାଲ୍ୟା, ଲଳିତ ମୋଦିଙ୍କ ଭଳି ଠକ ହଜାର ହଜାର କୋଟି ଟଙ୍କା ନେଇ ବିଦେଶ ଫେରାର ହେଇଯାଉଛନ୍ତି ସେତେବେଳେ ଚାଷୀଙ୍କୁ ଦିନକୁ ମିଳୁଛି ମାତ୍ର ୧୭ ଟଙ୍କାର ସହାୟତା ।
ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଚାଷୀ ବର୍ଷ ବର୍ଷ ପରିଶ୍ରମ କରି ଦେଶକୁ ଖାଦ୍ୟ ଯୋଗାଉଛି ତାଙ୍କ ପାଇଁ ସରକାରଙ୍କ ଟ୍ରେଜରୀରୁ ଦିନକୁ ମାତ୍ର ୧୭ ଟଙ୍କା ଆସିବ । ଆଉ ଏହାକୁ ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକ କହୁଛନ୍ତି । ଏହା ପାକିସ୍ତାନ ନୁହେଁ  ଭାରତ । ଏକଥା ସରକାର ଧ୍ୟାନ ରଖିବା ଆବଶ୍ୟକ । ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ହୋଇଥିଲା ଏବେ ଭାରତରେ ମଧ୍ୟ ସର୍ଜିିକାଲ ଷ୍ଟ୍ରାଇକ କରୁଛନ୍ତି ।
ଏହାପୂର୍ବରୁ ଗତକାଲି ଦେଶରେ ଦୁଇ ହେକ୍ଟର ଜମି ଥିବା ୧୨ କୋଟି କ୍ଷୁଦ୍ର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦେବାକୁ ସରକାର ବଜେଟରେ ଘୋଷଣା କରିଥିଲେ । ବର୍ଷକୁ ୩ଟି କିସ୍ତିରେ ୬୦୦୦ ଟଙ୍କା କ୍ଷୁଦ୍ର ଚାଷୀଙ୍କୁ ସହାୟତା ଆକାରରେ ଦିଆଯିବ । ଚଳିତ ବର୍ଷ ଏହି ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।