ଦିଲ୍ଲୀ ଦଙ୍ଗଲରେ କେଜ୍ରିୱାଲଙ୍କ ବଡ ବିଜୟ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନିର୍ବାଚିତ ସରକାର ହିଁ ପ୍ରଶାସନିକ ମୁଖ୍ୟ

36

କନକ ବ୍ୟୁରୋ : ଦିଲ୍ଲୀରେ ଶାସନ ଓ କ୍ଷମତାର ଲଢେଇ ଭିତରେ ଆଜି ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚିତ ସରକାର ଦିଲ୍ଲୀ ଚଳାଇବେ । କେନ୍ଦ୍ରଶାସିତ ଅଂଚଳଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବାରୁ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବା ଉଚିତ । କ୍ୟାବିନେଟ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ । ସେହିପରି ମନ୍ତ୍ରିମଣ୍ଡଳର ନିଷ୍ପତ୍ତିକୁ ଉପରାଜ୍ୟପାଳ ଝୁଲାଇ ରଖିପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଦିଲ୍ଲୀରେ ନିର୍ବାଚିତ ସରକାର ନା ଉପରାଜ୍ୟପାଳ, କାହା ପାଖରେ କ୍ଷମତା ରହିବ ସେ ନେଇ ଯେଉଁ ବିବାଦ ରହିଥିଲା, ତା ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ୍ କହିଛନ୍ତି, ଉପରାଜ୍ୟପାଳଙ୍କର ସ୍ୱତନ୍ତ୍ର ଅଧିକାର ନାହିଁ । କ୍ୟାବିନେଟ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ । ତେବେ ଏହି ଐତିହାସିକ ମାମଲା ଉପରେ କି ମନ୍ତବ୍ୟ ରଖିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ।

ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି –
ଲେଫ୍ଟନାଂଟ ଗଭର୍ଣ୍ଣର ମନ୍ତ୍ରିପରିଷଦର ପରାମର୍ଶ ଅନୁସାରେ କାର୍ଯ୍ୟ କରିବେ । ସେ ସ୍ୱତନ୍ତ୍ର ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ । ମନ୍ତ୍ରିପରିଷଦର ନେଉଥିବା ନିଷ୍ପତି ଲେଫ୍ଟନାଂଟ ଗଭର୍ଣ୍ଣରଙ୍କୁ ଜଣାଇବେ । ଏହାର ଅର୍ଥ ନୁହେଁ ଲେଫ୍ଟନାଂଟ ଗଭର୍ଣ୍ଣରଙ୍କ ଅଧୀନରେ ମନ୍ତ୍ରିପରିଷଦ ରହିଛି ।
ସେହିପରି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି –

ଲେଫ୍ଟନାଂଟ ଗଭର୍ଣ୍ଣରଙ୍କୁ ଜାଣିରଖିବା ଉଚିତ ଯେ ତାଙ୍କର ନୁହେଁ ମୌଳିକ ଭାବେ ନିଷ୍ପତି ନେବାର ଦାୟିତ୍ୱ ମନ୍ତ୍ରିପରିଷଦର ।

ଅନୁରୂପ ମନ୍ତବ୍ୟ ଦେଇଛନ୍ତି ଜଷ୍ଟିସ ଅଶୋକ ଭୂଷଣ । ସେ କହିଛନ୍ତି-

ସମ୍ବିଧାନର ଧାରା ୨୩୯ (ଏଏ)କୁ ଛାଡିଦେଲେ ମନ୍ତ୍ରିପରିଷଦର ପରାମର୍ଶ ଅନୁଯାୟୀ ଲେଫ୍ଟନାଂଟ ଗଭର୍ଣ୍ଣରଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ।

ଦିଲ୍ଲୀର ନିର୍ବାଚିତ ସରକାରଙ୍କ ଅଧିକାର ନେଇ ନ୍ୟାୟିକ ଲଢ଼େଇ କରି ଆସୁଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ । ଏପରିକି ଲେଫ୍ଟନାଂଟ ଗଭର୍ଣ୍ଣରଙ୍କ ବାସଭବନରେ ଅନଶନରେ ବି ବସିଥିଲେ । ଦୀର୍ଘଦିନର ଲଢ଼େଇ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ଼ ବିଜୟ ।

ସୁପ୍ରିମକୋର୍ଟ କହିଛନ୍ତି କେନ୍ଦ୍ରଶାସିତ ଅଂଚଳଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବାରୁ ଉପ-ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବା ଉଚିତ । ସେହିପରି ମନ୍ତ୍ରିମଣ୍ଡଳର ନିଷ୍ପତ୍ତକୁ ଉପ-ରାଜ୍ୟପାଳ ଝୁଲାଇ ରଖିପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଏବେ ମଧ୍ୟ ଏମିତି କିଛି ପ୍ରସଙ୍ଗ ରହିଛି, ଯାହା ସୃଷ୍ଟି କରିପାରେ ନୂଆ ବିବାଦ । ଦିଲ୍ଲୀ ପୋଲିସ ଏବେ ଗୃହ ମନ୍ତ୍ରଣାଳୟ ପାଖରେ ରହିଛି । ଆମ ଆଦମୀ ପାର୍ଟିର କିଛି ବିଧାୟକଙ୍କ ବିରୋଧରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଯଦି ପୁଣି ଏଭଳି କିଛି ହୁଏ ତାହାହେଲେ ପୁଣି ସାମ୍ନାସାମ୍ନି ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିଭଳି ପୂର୍ଣ୍ଣ ରାଜ୍ୟ ପ୍ରସଙ୍ଗରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମୁହାଁମୁହିଁ ହେବା ଆଶଙ୍କା ରହିଛି ।