ଲଣ୍ଡନରେ ଲୁଚିଛି ନୀରବ ମୋଦି । ସିଂଗାପୁର ପାର୍ସପୋଟରେ ରହୁଥିବା କହିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ପିଏନବି ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ

54

କନକ ବ୍ୟୁରୋ: ଲଣ୍ଡନରେ ଲୁଚିଛି ନୀରବ ମୋଦି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଲଣ୍ଡନରେ ଲୁଚିଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ସିଙ୍ଗାପୁର ପାସପୋର୍ଟରେ ସେ ସେଠାରେ ରହୁଥିବା କୁହାଯାଉଛି । ପିଏନବି ଠକେଇ ପର୍ଦ୍ଦାଫାଶ ହେବା ପରେ ନିରବଙ୍କ ଭାରତୀୟ ପାସପୋର୍ଟ ରଦ୍ଦ କରାଯାଇଛି । ଏବେ ସେ ସିଙ୍ଗାପୁର ପାସପୋର୍ଟ ଜରିଆରେ ବିଭିନ୍ନ ସ୍ଥାନ ଭ୍ରମଣ କରୁଥିବା କୁହାଯାଉଛି ।

ପିଏନବି ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୀରବଙ୍କୁ ସମନ ଜାରି କରାଯାଇଛି । କିନ୍ତୁ ସେ ସମନକୁ ଉତର ଦେଉନାହାଁନ୍ତି । ଠକେଇର ପର୍ଦାଫାଶ ହେବା ପୂର୍ବରୁ ଅତି ଚତୁରତାର ସହିତ ନୀରବ ମୋଦି ଭାରତରୁ ଖସି ପଳାଇଥିଲା । କିଛି ଦିନ ତଳେ ହଂକଂରେ ଥିବା କୁହାଯାଉଥିଲା । ଇ-ମେଲ୍ ଜରିଆରେ ତାଙ୍କୁ ସମନ ପଠାଯାଇଥିଲା । ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ପହଁଚି ବୟାନ ରେକର୍ଡ କରିବାକୁ ସେମାନଙ୍କୁ କୁହାଯାଇଛି । ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ୧୫ ଦିନ ସମୟ ଦିଆଯାଇଛି । ପିଏନବି ଠକେଇକୁ ନେଇ ଇଡିି ପକ୍ଷରୁ ଏକ ମନି ଲଣ୍ଡରିଂ ମାମଲା ଦାୟର କରାଯାଇ ତାହାର ତଦନ୍ତ ଜାରି ରହିଛି ।

ଲେଟର ଅଫ୍ ଅଣ୍ଡରଟେକିଂ ଜରିଆରେ ନୀରବ ପିଏନବିରୁ ୧୩ ହଜାର କୋଟି ଟଙ୍କା ଠକି ନେଇଛନ୍ତି । ତାଙ୍କୁ ସହଯୋଗ କରିଥିଲେ ମାମୁ ମେହୁଲ ଚୋକସି । ଉଭୟ ମାମୁଁ ଓ ଭଣଜା ଭାରତରୁ ଫେରାର ହୋଇ ଯାଇଛନ୍ତି । ସେମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି ।