ଗାଈଙ୍କର ହେବ ଆଧାର କାର୍ଡ ! ଗୋଟିଏ କ୍ଲିକରେ ମିଳିଯିବ ଦୁଧିଆଳି ଗାଈଙ୍କ ପରିଚୟ

78

ମଧ୍ୟପ୍ରଦେଶ : କେବଳ ମଣିଷ ମାନଙ୍କର ନୁହେଁ ଗାଈଙ୍କର ହେବ ପରିଚୟ ପତ୍ର । ଦୈନିକ ଜାଗରଣରେ ପ୍ରକାଶିତ ସୂଚନା ଅନୁସାରେ ଭୋପାଳ ମଧ୍ୟପ୍ରଦେଶରେ ଏବେ ଗାଈଙ୍କର ହେବ ଆଧାର କାର୍ଡ । ଯେଉଁଥିରେ ନାମ-ଠିକଣା , ଫଟୋ , ଦୁଗ୍ଧ ଦେବାର କ୍ଷମତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସବୁ ରେକର୍ଡ ରହିବ । ଗୋରୁଙ୍କର ପରିଚୟ ଦର୍ଶାଉଥିବା ୧୨ ଅଙ୍କର ଏହି ଅଭିନବ ଡିଜିଟାଲ ଆଧାର କାର୍ଡକୁ ଦେଶ ଯେକୌଣସି ସ୍ଥାନରେ ଗୋଟିଏ କ୍ଲିକରେ ଦେଖିପାରିବେ । ରାଜ୍ୟର ସବୁ ୯୦ ଲକ୍ଷ ଦୁଧିଆଳି ଗୋରୁଙ୍କର ଆଧାରର ସ୍ମାର୍ଟ ଚିପ୍ ସେମାନଙ୍କର କାନରେ ଲଗାଯିବ । କେନ୍ଦ୍ର ସରକାରଙ୍କର ଏହି ଆଧାର ଅଭିଯାନକୁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଚଳାଇବାର ପ୍ରସ୍ତୁତି କରାଯାଉଛି ।

ରାଜ୍ୟର ୪ଗୋଟି ଜିଲ୍ଲା ରେ ଶାଜାପୁର , ଧାର , ଆଗର ମାଲୱା ଏବଂ ଖରଗୋନରେ ପାଖପାଖି ୧ ହଜାର ଗାଈଙ୍କ ମଧ୍ୟରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଯାଇଛି । ଏହାର ସଫଳତା ପରେ ସରକାର ଖୁବ୍ ଶୀଘ୍ର ସମସ୍ତ ୫୧ଟି ଜିଲ୍ଲାରେ ଗାଈ – ମଇଁଷି ମାନଙ୍କର ଆଧାର ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଏକ ବିଶେଷ ସଫ୍ଟୱେର(ଇନାଫ) ତିଆରି କରାଯାଇଛି । ପଶୁପାଳନ ବିଭାଗର କର୍ମଚାରୀଙ୍କ ଗାଇଁଙ୍କର ପରିଚୟ ପତ୍ର ତିଆରି ପାଇଁ ଟ୍ୟାବଲେଟ୍ସ ଦିଆଯିବ । ଯେଉଁଥିରେ ସେ ଗାଈ-ମଇଁଷିଙ୍କର ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିପାରିବେ । ଟ୍ୟାବଲେଟ୍ସ କିଣିବା ପାଇଁ ସରକାର ଟେଣ୍ଡର ଆଦି କାର୍ଯ୍ୟର ଆରମ୍ଭ କରିସାରିଛନ୍ତି । ଗୋରୁଙ୍କ କାନରେ ଲଗାଯିବାକୁ ଥିବା ଟ୍ୟାଗ ଏହି ମାସର ଶେଷ ସୁଦ୍ଧା ତିଆରି ହୋଇ ଆସିବାର ସମ୍ଭାବନା ରହିଛି ।

୧୫ କୋଟିର ବଜେଟ୍ : କେନ୍ଦ୍ର ସରକାରଙ୍କର ପଶୁ ସଂଜୀବନୀ ଯୋଜନା ଅନୁସାରେ ଏହି ଅଭିଯାନ ପୁରା ଦେଶରେ ଲାଗୁହେବା । ଏଥିପାଇଁ ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ୪୦ ପ୍ରତିଶତ ଅଂଶଦାନ ରାଜ୍ୟ ସରକାରଙ୍କର ହେବ । ରାଜ୍ୟର ପଶୁପାଳନ ବିଭାଗ ଦ୍ୱାରା ଗୋରୁଙ୍କର ପରିଚୟ ଓ ପଂଜୀକରଣ ପାଇଁ ପାଖପାଖି ସାଢେ ତିନି ହଜାର କର୍ମଚାରୀଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଦିଆଯାଇଛି ।

ଏହି ମାସର ଶେଷ ସୁଦ୍ଧା ଆରମ୍ଭ ହେବ କାମ : ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ଶେଷ ସୁଦ୍ଧା ସବୁ ଜିଲ୍ଲାରେ ଆଧାର ହେବାର କାମ ଆରମ୍ଭ ହେବାର ସମ୍ଭାବନା ଅଛି । ମାର୍ଚ୍ଚ ୨୦୧୮ଯାଏ ଏହି କାମକୁ ପୁରା କରିବାର ଲକ୍ଷ୍ୟ ରହିଛି । କିନ୍ତୁ ସୂତ୍ର କହିଛି ଏକ-ଦୁଇ ମାସ ସମୟ ଅଧିକ ଲାଗିପାରେ ।

ଅବୈଧ ପରିବହନ ଉପରେ ଲାଗିବ ଅଙ୍କୁଶ : ଗାଈ-ମଇଁଷିମାନଙ୍କୁ ଚିପ୍ ଲଗାଇବା ସହ ଏମାନଙ୍କର ଏକ କାର୍ଡ ମଧ୍ୟ ହେବ । ଯାହାକୁ ଗୋରୁଙ୍କ ମାଲିକଙ୍କୁ ଦିଆଯିବ । ଗୋରୁଙ୍କର ଆଧାର କାର୍ଡରେ ଗାଈମାନଙ୍କର ଅବୈଧ ପରିବହନ ଉପରେ ମଧ୍ୟ ଅଙ୍କୁଶ ଲାଗିପାରିବ । ହଜିଯାଇଥିବା ଗାଈଗୋରୁମାନଙ୍କୁ ମଧ୍ୟ ଖୋଜାଯାଇପାରିବ । ନୂଆ ଟେକନିକ ପରେ ସହରର ସଡକ ଓ ଗାଁ ଗୁଡିକରେ ଏଣେତେଣେ ବୁଲୁଥିବା ଗାଈଙ୍କୁ ଓ ସେମାନଙ୍କର ମାଲିକଙ୍କର ପରିଚୟ ମଧ୍ୟ ତୁରନ୍ତ ମିଳିପାରିବ ।

ଏଣୁ ପଶୁମାନଙ୍କର ଏହି ଆଧାର କାର୍ଡ ହେବା ଦ୍ୱାରା ନିଶ୍ଚିନ୍ତ ରୂପେ ବହୁବିଧ ଉପକାର ହେବ । ବୁଲା ଗାଈମାନଙ୍କର ପରିଚୟ ମିଳିବ । ଆଉ ଅବାଧରେ ଗୋରୁ ଚାଲାଣ ମଧ୍ୟ ରୋକା ଯାଇପାରିବ ।