ବଢ଼ିଲା ଆଧାରର ସୁରକ୍ଷା ! ଆଧାର କାର୍ଡ ବଦଳରେ କାମ କରିବ ୧୬ ସଂଖ୍ୟା ବିଶିଷ୍ଟ ଭର୍ଚୁଆଲ ଆଇଡି 

42
କନକ ବ୍ୟୁରୋ : ଆଧାର କାର୍ଡରେ ଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରଖିବାକୁ ଆଧାର କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା । ସୂଚନା ଅନୁସାରେ ପ୍ରତ୍ୟେକ ଆଧାର କାର୍ଡ ପାଇଁ ଆପଣ ନିଜେ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିପାରିବେ । ତେଣୁ ଯେଉଁଠି ଆଧାର କାର୍ଡ ଦେବା ବାଧ୍ୟତାମୂଳକ ଥିବ ସେଠାରେ ଏହି ବିକଳ୍ପକୁ ବ୍ୟବହାର କରିହେବ । ଅର୍ଥାତ ଆଧାର ନମ୍ବର ସ୍ଥାନରେ ଆପଣ ଏହି ଭର୍ଚୁଆଲ ଆଇଡି ନମ୍ବରକୁ ଦେଇପାରିବେ । ଏଥିପାଇଁ ଆପଣଙ୍କୁ ୟୁନିକ ଆଇଡେଂଟିଫିକେସନ ଅଥୋରିଟି ଅଫ ଇଣ୍ଡିଆ ୱେବସାଇଟରୁ ଏହି ୧୬ ଟିକିଆ ଭର୍ଚୁଆଲ ଆଇଡି ନମ୍ବର ବାହାର କରିବାକୁ ପଡିବ । ଆଫଣଙ୍କ ଟୋଲିଫୋନ କମ୍ପାନି ପରିଚୟପତ୍ର ଦାବି କଲେ ଆପଣ ଏହି ୧୬ ଡିଜିଟର ଭର୍ଚୁଆଲ ଆଇଡି ନମ୍ବର ଦେଇପାରିବେ । ଏବଂ ଏଥିରେ କେବଳ କମ୍ପାନି ଆବଶ୍ୟକ କରୁଥିବା ତଥ୍ୟ ହିଁ ପାଇପାରିବ । ଯେମିତିକି ଆପଣଙ୍କ ନାଁ, ଠିକଣା ଓ ଫଟୋଗ୍ରାଫି ଇତ୍ୟାଦି ।
ଏହାଛଡା ଆଧାରରେ ଥିବା ଆପଣଙ୍କ ଅନ୍ୟ ତଥ୍ୟଗୁଡିକ ଗୋପନୀୟ ରହିବ । ଆପଣ ଚାହିଁଲେ ବାରମ୍ବାର ଏହି ଭର୍ଚୁଆଲ ଆଇଡି ନମ୍ବରକୁ ଜେନେରେଟ କରିପାରିବେ । ଆଗାମୀ ମାର୍ଚ୍ଚ ୧ ତାରିଖରୁ ସମସ୍ତେ ଏହି ଭର୍ଚୁଆଲ ଆଇଡି ନମ୍ବର ଗ୍ରହଣ କରିବା ବାଧ୍ୟତାମୂଳକ ହେବ । ଆଧାର କାର୍ଡ ଦେଲେ ବ୍ୟକ୍ତିଗତ ଗୋପନୀୟତା କ୍ଷୁଣ୍ଣ ହେବ ବୋଲି ବିବାଦ ଭିତରେ ଆଧାର କର୍ତ୍ତୃପକ୍ଷ ଏଭଳି ଏକ ବିକଳ୍ପ ବ୍ୟବସ୍ଥା ବାହାର କରିଥିବା ଜଣାପଡିଛି ।
ଅନ୍ୟପଟେ ଆଧାର କାର୍ଡ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଆଧାର କାର୍ଡ ନଥିବାରୁ ସରକାରୀ ଯୋଜନାରୁ ଲାଭ ପାଇ ପାରୁନାହାଁନ୍ତି ବାସହୀନ । ଆଉ ଏଭଳି ସ୍ଥିତିରେ ବାସହୀନ କେମିତି ଆଧାର କାର୍ଡ ପାଇବେ ବୋଲି ସୁପ୍ରିମକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆଧାର କାର୍ଡ ପାଇଁ ଘର ଏବଂ ଠିକଣା ଆବଶ୍ୟକତା ଥିବା ବେଳେ ବାସହୀନମାନେ କେମିତି ଆଧାର କାର୍ଡ କରିବେ ଏବଂ ସରକାରୀ ଯୋଜନାରୁ ଲାଭ ପାଇବେ ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ଦୃଷ୍ଟିରେ ସେମାନଙ୍କ ଅସ୍ତିତ୍ୱ ଅଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଜଷ୍ଟିନ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଧାରକାର୍ଡକୁ ବାଧ୍ୟତାମୂଳକ କଲେ ଲକ୍ଷ ଲକ୍ଷ ଲୋକ ସରକାରୀ ଯୋଜନାର ସୁଫଳ ପାଇପାରିବେ ନାହିଁ ।