ଛୁରୀ ମୁନରେ ମହିଳାଙ୍କୁ ବଳାତ୍କାର କଲେ ବିଜେପି ନେତା ! ପଂଚାୟତରେ ସ୍ୱାମୀ ପ୍ରାର୍ଥୀ ହେବାରୁ ପତ୍ନୀଙ୍କୁ ଟାର୍ଗେଟ

34

କନକ ବ୍ୟୁରୋ : ନେତାଙ୍କ ଅମାନବୀୟ କାଣ୍ଡ । ସୁନ୍ଦରଗଡ ଲହୁଣିପଡାର ଜଣେ ଧୋବଧବଳିଆ ବିଜେପି ନେତାଙ୍କ ଚରିତ୍ରରେ ଲାଗିଛି କଳଙ୍କର ଦାଗ । ସୁନ୍ଦରଗଡ ବରସୁଆଁର ଜଣେ ମହିଳାଙ୍କୁ ଧର୍ଷଣ କରିଛନ୍ତି ସ୍ଥାନୀୟ ନେତା । ଛୁରି ମୁନରେ ଜୋରଜବରଦସ୍ତ ଆଙ୍ଗନୱାଡି କର୍ମୀଙ୍କୁ ବଳାତ୍କାର କରିଛନ୍ତି ନେତା ଜଣକ ।

ନିଜକୁ କେନ୍ଦ୍ରମନ୍ତ୍ରୀଙ୍କ ଖାସ ବୋଲି କହି ବୁଲୁଥିବା ବାଗୁନ ଗାଗରାଇଙ୍କ ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଏପରିକି ଘଟଣା ସଂପର୍କରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ ବୋଲି କହିଛନ୍ତି ପୀଡିତା । ଆଉ ମହିଳା ଥାନାରେ ପୀଡିତା ମୁହଁ ଖୋଲିବା ପରେ, ନେତାଙ୍କ ଅମାନବୀୟ କାଣ୍ଡ ଉପରୁ ପରଦା ଉଠିଛି ।

ସୁନ୍ଦରଗଡ ଲହୁଣିପଡାରେ ଏକ ଜତୀୟ ଦଳର ନେତା । ପୀଡିତାଙ୍କ ସ୍ୱାମୀ ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ଆଉ ରାଜନୈତିକ ପ୍ରତିହିଂସାରେ ଚୁର ଏହି ନେତା ଜଣକ ପଶୁ ପାଲଟି ଯାଇ ପ୍ରାର୍ଥୀଙ୍କ ପତ୍ନୀଙ୍କୁ କରିଥିଲେ ଟାର୍ଗେଟ । ପୁଣି ୧୯ ତାରିଖରେ ତାଙ୍କସହ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେଲେ ।

ଆଉ ଫୋନରେ ଅଶ୍ଳୀଳ ଗାଳିଗୁଲଜ କରିବା ସହ ମହିଳାଙ୍କ ନଗ୍ନ ଫଟୋ ଇଂଟରନେଟରେ ଛାଡି ଦେବାକୁ ଧମକ ଦେଉଥିଲେ ବୋଲି ରାଉରକେଲା ସେକ୍ଟର-ଥ୍ରୀ ମହିଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ସଂପୃକ୍ତ ନେତାଙ୍କ ସ୍ଥାନୀୟ ଅଂଚଳରେ ଦବଦବା ଏତେ ଯେ, ଲହୁଣିିପଡା ଥାନାରେ ମାମଲା କରିନାହାନ୍ତି ପୀଡିତା ।

ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମହତ୍ୟା କରିବେ ବୋଲି ଏଫଆଇଆରରେ ଲେଖିଛନ୍ତି । ପୁରା ଘଟଣାରେ ଅଭିଯୁକ୍ତ ନେତା ବାଗୁନ ଗାଗରାଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।