ବର୍ଷାରେ ବେହାଲ ପୁରୀ ! ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣିରେ ଭାସିଲା ବଡଦାଣ୍ଡ

31

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ବହିଲା ନର୍ଦ୍ଦମା ପାଣି । କାଳିଆର ଦର୍ଶନ ପାଇଁ ନର୍ଦ୍ଦମା ପାଣିରେ ପଶିଲେ ଭକ୍ତ । ଆଜି ପୁରୀରେ ପ୍ରବଳ ବର୍ଷା ହେବା ପରେ ଏଭଳି ସ୍ଥିତି ଉପୁଜିଛି । ପୁରୀ ସହରରେ ଥିବା ବିଭିନ୍ନ ଡ୍ରେନ ଗୁଡିକ ଅଳିଆ ଆବର୍ଜନାରେ ପୁରୀ ଯାଇଥିବାରୁ ଏଭଳି ପରିସ୍ଥିତି ହୋଇଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପୂର୍ବରୁ ଏଭଳି ନର୍ଦ୍ଦମା ପାଣି ବୋହିବା କେବେ ଦେଖା ଯାଇନଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ପ୍ରତିବର୍ଷ କୋଟି କୋଟି ଟଙ୍କା ପୁରୀ ସହରର ବିକାଶରେ ଖର୍ଚ ହେଉଥିବାବେଳେ ଏହି ସବୁ ଯୋଜନା ଫେଲ ମାରିଛି । ଏପରିକି ନବକଳେବର ସମୟରେ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ । ସରକାରୀ କାଗଜପତ୍ରର ନାଲିଫିତା ତଳେ ପୁରୀର ବିକାଶ ସେହିଭଳି ଚାପି ହୋଇ ରହିଛି । ରାସ୍ତାରେ ପାଣି ଜମିବାକୁ ନେଇ ପୁର୍ବରୁ ଅନେକ ଥର ଆଲୋଚନା ହୋଇଥିଲା । କିନ୍ତୁ ବଡଦାଣ୍ଡର ସ୍ଥିତିରେ ଟିକିଏ ବି ପରିବର୍ତ୍ତନ ଆସିନଥିଲା । ସହରର ରାସ୍ତାରେ ଏତେମାତ୍ରାରେ ପାଣି ପ୍ରବାହିତ ହେବାଫଳରେ କିଛିସମୟ ପାଇଁ ଜନଜୀବନ ଠପ୍ ହୋଇଯାଇଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।