ଦେଶୀ କନିଆକୁ ବିଦେଶୀ ବର ! ଓଡିଆ ଝିଅ ସାଜିଲେ ସ୍ୱିଡେନ୍‌ର ବୋହୂ

248

କୋଣାର୍କରେ ଅନୁଷ୍ଠିତ ଏକ ବିବାହ କାର୍ଯ୍ୟକ୍ରମ ବର୍ତମାନ ଅକର୍ଷଣର କେନ୍ଦ୍ର ପାଲଟି ଯାଇଛି । ବିଦେଶୀ ବରକୁ ବୈଦିକ ରୀତିରେ ଜଣେ ଓଡ଼ିଆ ଝିଅ ବିବାହ କରିବା ଘଟଣା ଆଜି ବେଶ ଚର୍ଚ୍ଚିତ କରିଛି । ସ୍ୱିଡେନ୍‌ର ଜନ୍‌ କାରଲ୍‌ସୋନ୍ ନାମକ ଜଣେ ଯୁବକ ଓଡ଼ିଆ ପରମ୍ପରା ଅନୁଯାୟୀ କୋଣାର୍କରେ ଗୋପ ଅଞ୍ଚଳର ଜଣେ ଓଡ଼ିଆ ଝିଅଙ୍କୁ ବିବାହ କରିଛନ୍ତି ।

ଘୋଡ଼ାପିଠିରେ ବରବେଶରେ ବସି  ବିଦେଶୀ ଯୁବକ ଜଣକ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହାରି ଥିଲେ । ଓଡ଼ିଆ ଢୋଲମହୁରୀ, ଚାଙ୍ଗୁର ତାଳେତାଳେ ବିଦେଶୀ ବରଯାତ୍ରୀ କୋଣାର୍କର ରାଜରାସ୍ତାରେ ନୃତ୍ୟ କରିବା ସମସ୍ତଙ୍କୁ ଚକିତ କରିଥିଲା । ଦୁଇଟି ହୃଦୟର ମିଳନ ଏଠି ଦେଖିବାକୁ ମିଳିଛି ।

ବରଯାତ୍ରୀ କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଅପେକ୍ଷାରତ କନ୍ୟାପକ୍ଷର ଲୋକେ ଓଡ଼ିଆ ରୀତିିରେ ଶଙ୍ଖୋଳି ନେଇଥିଲେ । ବର ଶଙ୍ଖୋଳା କାର୍ଯ୍ୟ ସରିବା ପରେ ଜନ୍‌ କାରଲ୍‌ସୋନଙ୍କ ସହିତ ବୈଦିକ ରୀତିରେ  ଶୁଶ୍ରୁଷା ନାୟକଙ୍କ ବିବାହ କାର୍ଯ୍ୟ ସମାପନ ହୋଇଥିଲା ।

ବର ଜନ୍‌ ସ୍ୱିଡେନ୍‌ରେ ଜଣେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ କନ୍ୟା ଶୁଶ୍ରୁଷା ମଧ୍ୟ ସ୍ୱିଡେନ୍‌ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଆଜିର ଏହି ବାହାଘର ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିବାବେଳେ ଉଭୟ ବରଯାତ୍ରୀ ଓ କନ୍ୟାଘର ଲୋକଙ୍କ ଲାଗି ସଂପୂର୍ଣ୍ଣ ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଥିଲା ।