ଶ୍ରୀମନ୍ଦିରକୁ ସୁଡଙ୍ଗ ! ପୁରୀ ଗଙ୍ଗାମାତା ମଠ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ରତ୍ନବେଦୀ ପର୍ଯ୍ୟନ୍ତ ଲମ୍ବିଛି ଏହି ଗୁପ୍ତ ସୁଡ଼ଙ୍ଗ । ସୁଡଙ୍ଗ ସତ କଣ ? ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

587

କନକ ବ୍ୟୁରୋ: ଗଙ୍ଗାମାତା ମଠରୁ ଶ୍ରୀମନ୍ଦିର, ସତରେ ଅଛି କି ସୁଡ଼ଙ୍ଗ? ପୁରୀ ଗୁପ୍ତଗଙ୍ଗା ନିକଟରେ ରହିଛି ୫୫୦ ବର୍ଷ ତଳର ଗଙ୍ଗାମାତା ମଠ । ମଠରେ ଗୁପ୍ତ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଉଥିବା ବେଳେ ଗତ ୯ ତାରିଖରେ କିଛି ବିଦେଶୀ ନାଗରିକ ଏହି ସୁଡ଼ଙ୍ଗରେ ପଶିଥିବା ଖବର ଆଲୋଡନ ସୃଷ୍ଟି କରିଛି । ସୁଡ଼ଙ୍ଗରୁ ଶ୍ରୀମନ୍ଦିରର ରତ୍ନ ସିଂହାସନ, ଶ୍ୟାମାକାଳୀ ବା ପୁରୁଣା ରାଜବାଟି ଦେଖା ଯାଉଥିବା ପର୍ଯ୍ୟଟକ ପ୍ରକାଶ କରିବା ପରେ ସୁଡ଼ଙ୍ଗକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଅନ୍ୟପଟରେ ମଠର ମଠାଧୀଶ ଏହା ସତ ବୋଲି କହିଛନ୍ତି ।

ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ସୁରକ୍ଷା ଜୋନ୍ ନିର୍ମାଣ ହେଉଛି । ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳ କରିବା ପାଇଁ ଜମି ଅଧିଗ୍ରହଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ଏହି ସମୟରେ ଗୁପ୍ତ ସୁଡ଼ଙ୍ଗ ସଂପର୍କରେ ଚର୍ଚ୍ଚା ହେବା, ଶ୍ରୀମନ୍ଦିର ସୁରକ୍ଷାରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଐତିହାସିକଙ୍କ ମତରେ ପୁରୀ ମହାରାଜା ସମ୍ଭବତଃ ଏହି ସୁଡ଼ଙ୍ଗକୁ ବ୍ୟବହାର କରୁଥିଲେ । ଗୁପ୍ତ ସୁଡ଼ଙ୍ଗ ଶ୍ରୀମନ୍ଦିର ରତ୍ନ ସିଂହାସନ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଥିବା ଆଶଙ୍କା ରହିଛି ।

ତେବେ ଗୁପ୍ତ ସୁଡଙ୍ଗ ନେଇ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଭାରତୀୟ ପ୍ରତ୍ନ ତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।