ଜୋର ଧରୁଛି ରଜୋ ନୁହେଁ ରଜ ଅଭିଯାନ ! ସାମିଲ ହେଲେ ପ୍ରଶାସନିକ ଅଧିକାରୀଙ୍କ ସମେତ ରାଜନେତା ଓ ସେଲିବ୍ରିଟି ।

73

କନକ ବ୍ୟୁରୋ : ରଜୋ ନୁହେଁ ରଜ । ପ୍ରାୟେ ମାସେ ହେଲା ସୋସିଆଲ୍ ମିଡିଆରେ ଚାଲିଛି ଏଭଳି ଏକ କ୍ୟାମ୍ପେନ୍ । ସାଧାରଣ ଲୋକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଏଭଳି ଅଭିଯାନରେ ସାମିଲ ହେଉଛନ୍ତି । ବିଶେଷକରି ବିଜ୍ଞାପନ ଗୁଡ଼ିକରେ ରଜକୁ ଇଂରାଜୀରେ ଲେଖିବା ବେଳେ ଯେଉଁଭଳି ଭାବେ ଏହାକୁ କଦର୍ଥ କରାଯାଉଛି, ତା’ର ପ୍ରତିବାଦରେ ଏହି ଅଭିଯାନ ଚାଲିଛି । ଏହା ଓଡ଼ିଆ ଭାବାବେଗକୁ ଆଘାତ ଦେବା ସହ ରଜ ପର୍ବର ମୌଳିକତା ନଷ୍ଟ ହେବାର ଆଶଙ୍କା ଥିବା ମତ ପ୍ରକାଶ ପାଇଛି ।

ଟ୍ୱିଟରରେ “ହାସ୍ ଟାଗ୍ ରଜୋ ନୁହେଁ ରଜ’’କୁ ଟ୍ରେଣ୍ଡିଂ କରୁଛନ୍ତି ସାଧାରଣ ନାଗରିକଙ୍କଠାରୁୁ ଆରମ୍ଭ କରି ନେତା, ପ୍ରଶାସକ, ସେଲିବ୍ରିଟି ଓ ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ କେତେକ ବିଜ୍ଞାପନ ବୋର୍ଡରେ ରଜ ଶବ୍ଦକୁ ଇଂରାଜୀରେ ବିକୃତ ଭାବରେ ଲେଖା ହୋଇଥିବା ଦେଖିବାକୁ ମିଳୁଛି । କେଉଁଠି ରଜ ତ କେଉଁଠି ରଜୋ ଲେଖାଯାଇଛି । ଯାହାକୁ ନେଇ ଚାଲିଛି ଏହି ଅଭିନବ ପ୍ରତିବାଦ ।

ରଜ ଶବ୍ଦକୁ ଆମେ ଯେମିତି ଉଚ୍ଚାଚରଣ କରୁଛେ, ସେମିତି ଲେଖିବା ପରିବର୍ତେ ଏହାକୁ ବିକୃତ ଢଙ୍ଗରେ ଲେଖାଯାଉଛି ବୋଲି ଏହି ଅଭିଯାନରେ ଅଭିଯୋଗ କରାଯାଉଛି । ରଜକୁ ଇଂରାଜୀରେ RAJA ଲେଖିବା ବଦଳରେ RAJO କାହିଁକି ଲେଖାଯାଉଛି ବୋଲି ପ୍ରଶ୍ନ କରାଯାଉଛି । ଉଚ୍ଚାରଣ ପାଇଁ ଗୋଟିଏ ଭାଷାର ମୂଳ ନାମକୁ ବଦଳାଇ ହେବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଅଧିକାଂଶ ସାହିତ୍ୟିକ ।

ଅଧିକାଂଶ ବିଜ୍ଞାପନ କମ୍ପାନୀଙ୍କ ବିଜ୍ଞାପନ କୋଲକାତାରୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବିଜ୍ଞାପନ ତିଆରି ବେଳେ ବଙ୍ଗଳା ଶବ୍ଦର ଅଯଥା ପ୍ରଭାବ ପଡ଼ୁଛି । ସେଥିପାଇଁ ରଜୋ, ପୂଜୋ, “କେମନ୍ ଅଛୋ ଭୁବନେଶ୍ୱର’ ଭଳି ବିଜ୍ଞାପନ ଚାଲିଆସୁଛି । ଏଥିପାଇଁ ସୋସିଆଲ୍ ମିଡିଆରେ ଅଭିଯାନ ସ୍ୱାଗତଯୋଗ୍ୟ ବୋଲି ମତ ଦିଅନ୍ତି ସଂସ୍କୃତି ଗବେଷକ କେଦାର ମିଶ୍ର । ସାଧାରଣ ଜନତାଙ୍କଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏବେ ପ୍ରଶାସନ, ରାଜନେତା ଫିଲ୍ମ ତାରକା ପ୍ରମୁଖ ସାମିଲ ହୋଇଛନ୍ତି ।