‘ମୁଁ ବଂଚିବାକୁ ଚାହେଁ’ : ମାଲକାନଗିରିରୁ ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରର କୋହଭରା ଚିଠି

49

ମାଲକାନଗିରି : ମୁଁ ବଂଚିବାକୁ ଚାହେଁ,ମତେ ବଂଚାଅ । ମୋ ବାପା, ମାଆଙ୍କୁ ଛାଡି ଯିବିନି । ଆମ ଅଂଚଳରେ ଜାପାନୀ ଜ୍ୱରରେ ଅନେକ ଶିଶୁଙ୍କ ଜୀବନ ଗଲାଣି । ମାଲକାନଗିରିରେ ଜାପାନୀ ଜ୍ୱରରେ ଶହେ ଶିଶୁଙ୍କ ଜୀବନ ଗଲାଣି । ଆମ ଗାଁର ମଧ୍ୟ ୮ଜଣ ଶିଶୁ ମରିଛନ୍ତି । ମୋ ବାପା, ମାଆଙ୍କୁ ଛାଡି ଯିବିନି । “ମୁଁ ବଂଚିବାକୁ ଚାହେଁ,ମତେ ବଂଚାଅ’ । ପ୍ରଧାନମନ୍ତ୍ରୀଙ୍କୁ ଏପରି ଆକୁଳ ନିବେଦନ କରି ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ପାଲକୋଣ୍ଡା ଗାଁର ଚତୁର୍ଥ ଶ୍ରେଣୀ ଛାତ୍ର ଉମେଶ ମାଢି ।

ଚଳିତ ବର୍ଷ ପାଲକୋଣ୍ଡା ଗାଁରେ ଜଣେ ଶିଶୁର ମୃତ୍ୟୁ ପରେ ଜାପାନୀ ଏନସେଫାଲାଇଟିସ୍ ବ୍ୟାପୀ ଥିବା ଜଣାପଡିଥିଲା । ଏହାପରେ ପ୍ରଶାସନ ସଜାଗ ହୋଇଥିଲା । ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ ବ୍ୟାପୁଥିବାଯୋଗୁଁ ମନ୍ତ୍ରୀ, ସଚିବ, ବିଶେଷଜ୍ଞ ଦଳ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ଏହି ଗାଁକୁ ଗସ୍ତ କରିଥିଲେ । ତଥାପି ଶିଶୁ ମୃତ୍ୟୁ ରୋକିବାରେ ବିଫଳ ହୋଇଥିଲେ ।

ଫଳରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପାଲକୋଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପାଠପଢୁଥିବା ଉମେଶ ମାଢି । ଜାପାନୀ ଜ୍ୱରରେ ଆମ ଗାଁର ୮ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ମନ୍ତ୍ରୀଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ମୃତ୍ୟୁକୁ ରୋକା ଯାଇପାରୁନାହିଁ । ମୋତେ ଭୟ ଲାଗୁଛି, ମୁଁ ମୋ ବାପା, ମାଆଙ୍କୁ ଛାଡି ଯିବାକୁ ଚାହୁଁନାହିଁ ବୋଲି ଉମେଶ ଏହି ଚିଠିରେ ଲେଖିଛନ୍ତି । ଏଠାକାର ପିଲାମାନେ ଭୟଭୀତ ହୋଇ ବାପା, ମାଆଙ୍କ ପାଖ ଛାଡୁନଥିବା ଦେଖିବାକୁ ମିଳୁଛି ।