ମୃତ୍ୟୁର ଖେଳରୁ ମୁକୁଳିବା ନେଇ କମିସନରେଟ ପୁଲିସର ପ୍ରୟାସ ! ଏପଟେ ଆଖିରେ କଂଚା ଲଙ୍କା ଘଷୁଥିବାବେଳେ ଧରାପଡିଲେ କଟକର ଜଣେ ଛାତ୍ରୀ

30

କନକ ବ୍ୟୁରୋ : ମୃତ୍ୟୁର ଖେଳରୁ ମୁକୁଳିବା ନେଇ କମିସନରେଟ ପୁଲିସର ପ୍ରୟାସ ।  ସତର୍କତା ନେଇ ଆଜି ଟ୍ୱିଇନ୍ ସିଟିର ବିଭିନ୍ନ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ ପୁଲିସ କମିସନର । କିଭଳି ଏହି ବ୍ଲୁ ହ୍ୱେଲ ଗେମ୍ରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖାଯାଇପାରିବ ସେନେଇ ଆଲୋଚନା କରାଯିବ । ଆଜି ୧୧ଟା ବେଳେ ପୁଲିସ କମିସନରଙ୍କ ଅଫିସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଏପଟେ ବ୍ଲୁହ୍ୱେଲ ଖେଳରେ ଫସିଛନ୍ତି କଟକର ଆଉ ଜଣେ ଛାତ୍ରୀ । ଆଖିରେ କଂଚା ଲଙ୍କା ଘଷିବା ସହ ହାତ କାଟିବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଛନ୍ତି । ବ୍ଲୁ ହ୍ୱେଲ ଖେଳରେ ଆହୁରୀ ୪ଜଣ ଛାତ୍ରୀ ସାମିଲ ଥିବା ଜଣାପଡିଛି । ଯୁକ୍ତ ତିନି ରାଜନୀତି ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀ ଗତ କିଛି ଦିନ ହେଲା ଏହି ଖେଳରେ ମାତିଥିଲେ । ଏଥିପାଇଁ ଗତ କିଛି ଦିନ ହେଲା ତାଙ୍କ ବ୍ୟବହାରରେ ପରିବର୍ତନ ହୋଇଥିଲା । ସବୁବେଳେ ଏକୁଟିଆ ବସି ମୋବାଇଲରେ ଗେମ ଖେଳୁଥିଲେ ବୋଲି ତାଙ୍କ ବନ୍ଧୁମାନେ କହିଛନ୍ତି ।

କୁହାଯାଉଛି ଯେ, ଛାତ୍ରୀ ଜଣକ ୪୨ଟି ଷ୍ଟେପ ଅତିକ୍ରିମ କରିସାରିଥିଲେ । ଏବଂ ବୁଧବାର ରାତିରେ ଆଖିରେ କଂଚା ଲଙ୍କା ଘଷି ଏହାର ଭିଡିଓ କରି ନିଜ ବିଭାଗର ହ୍ୱାଟ୍ସ ଆପ ଗ୍ରୁପରେ ଛାଡିଥିଲେ । ତାଙ୍କ ସହପାଠୀମାନେ ଏନେଇ ଅଧ୍ୟାପିକାଙ୍କୁ ଜଣାଇବା ପରେ ସଂପୃକ୍ତ ଛାତ୍ରୀଙ୍କୁ ଖୋଜା ପଡିଥିଲା । ସେହି ସମୟରେ ଛାତ୍ରୀ ଜଣକ କଲେଜର ଦୁଇ ମହଲା କୋଠାରେ ଗୋଟିଏ ରୁମରେ ଗେମ ଖେଳୁଥିବା ବେଳେ ଗୋଟିଏ ପିନ ସାହାଯ୍ୟରେ ହାତ କାଟିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଛାତ୍ରୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ ଅଧ୍ୟକ୍ଷା । ତେବେ ଏନେଇ ପୁଲିସ ନିକଟରେ କୌଣସି ଅଭିଯୋଗ ନକରିବାକୁ ପରିବାର ପକ୍ଷରୁ ଅଧ୍ୟକ୍ଷାଙ୍କୁ ଅନୁରୋଧ କରାଯାଇଥିଲା ।