ଜୀବନ ସାଜିଛି ଯନ୍ତ୍ରଣାମୟ !୧୫ବର୍ଷ ଧରି ଶଯ୍ୟାଶାୟୀ ମୁରଲୀ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

96

କନକ ବ୍ୟୁରୋ : ଜୀବନ ଯେବେ ଯନ୍ତ୍ରଣା ପାଲଟିଯାଏ । ଜୀବନ ଜିଇଁବା ଯେବେ ବୋଝ ହୋଇଯାଏ । ମଣିଷ ସେତେବେଳେ ମୁକ୍ତି ଖୋଜେ । ଠିକ୍ ଏମିତି ଘଟିଛି ଢେଙ୍କାନାଳ ଜିଲ୍ଲା ଅସରଡା ଗାଁର ମୁରଲୀଧର ସାହୁଙ୍କ କ୍ଷେତ୍ରରେ । ଦୀର୍ଘ ୧୫ବର୍ଷ ଧରି ଅକର୍ମଣ୍ୟ ହୋଇ ଶଯ୍ୟାଶାୟୀ ମୁରଲୀ ଏବେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି ।

ଆଖିରୁ ବହି ଯାଉଛି ଲୁହ । ଜରାଜୀର୍ଣ୍ଣ ଶରୀର । ଗୋଟିଏ କୋଠରୀ ଓ ଏହି ଖଟିଆ । ଏଥିରେ ବିତିଛି ହିନ୍ଦୋଳ ବ୍ଲକ ଅସରଡା ଗାଁର ମୁରଲୀଧର ସାହୁଙ୍କ ୧୫ବର୍ଷର ଅକର୍ମଣ୍ୟ ଜୀବନ । ମେରୁଦଣ୍ଡ ହାଡ ଭାଙ୍ଗିଯିବାରୁ ସେ ସମ୍ପୂର୍ଣ୍ଣ ଅକ୍ଷମ । ପୂରା ଶରୀର ଅଚଳ । ଦରକାର ହେଲେ ଦି ପଦ କହୁଛନ୍ତି । ହେଲେ ଦେଖାଶୁଣା କରିବାକୁ ପାଖରେ କେହି ନାହାଁନ୍ତି । ଯନ୍ତ୍ରଣାସିକ୍ତ ଜୀବନରୁ ମୁକ୍ତିପାଇଁ ମୁରଲୀଧର ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି ।

ମୁରଲୀଧର ପେଶାରେ କୂଅ ଖୋଳା କାର୍ଯ୍ୟ କରୁଥିଲେ । ୧୫ବର୍ଷ ତଳେ କୂଅ ଖୋଳୁଥିବା ବେଳେ କୂଅ କାମ ଦେଖିବାକୁ ଯାଇ ଜଣେ କୂଅ ଭିତରେ ଖସିପଡିଥିଲେ । ମୁରଲୀ ତାଙ୍କୁ ବଂଚାଇବାକୁ ଯାଇ ନିଜ ପିଠି ଦେଖାଇଦେଲେ ଫଳରେ ତାଙ୍କୁର ମେରୁଦଣ୍ଡ ଭାଙ୍ଗିଯାଇଛି । ଅର୍ଥାଭାବରୁ ସଠିକ ଚିକିତ୍ସା ପାଇନପାରି ଏବେ ମୁରଲୀ ପଙ୍ଗୁ ହୋଇ ଖଟରେ ସଢୁଛନ୍ତି । ଗ୍ରାମବାସୀମାନେ ପାଳି କରି ତାଙ୍କର ଖାଇବା କଥା ବୁଝୁଛନ୍ତି ।

ମୁରଲୀଧର ତାଙ୍କର ଏହି ଦୟନୀୟ ସ୍ଥିତି ବିଷୟରେ ଜିଲ୍ଲାପାଳଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛନ୍ତି । ହେଲେ କିଛି ସାହାଯ୍ୟ ପାଇ ନାହାଁନ୍ତି । ଏବେ ସେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ଲାଗି ନିବେଦନ କରିଛନ୍ତି । ଏବେ ତାଙ୍କୁ ଜଣେ ସ୍ୱାସ୍ଥ୍ୟକର୍ମୀ ଯୋଗାଇଦେବାକୁ ମୁରଲୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –