ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ । ସାରା ବିଶ୍ୱକୁ ଜଣାଇବେ ପ୍ରଳୟଙ୍କାରୀ ଫୋନି ମୁକାବିଲାର ସଫଳ ସୂତ୍ର । ଜାଣନ୍ତୁ କେବେ ପ୍ରସାରଣ ହେବ ପୂରା ସୋ’ ।

2,001

କନକ ବ୍ୟୁରୋ : ମୋଦିଙ୍କ ପରେ ନବୀନ । ପୂରା ବିଶ୍ୱ ଦେଖିବ ନବୀନଙ୍କ ଶାସନତନ୍ତ୍ରର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ ବିଶ୍ୱବାସୀ । ନବୀନଙ୍କୁ ନେଇ ସୁଟିଂ ହୋଇଥିବା ଏହି ସ୍ୱତନ୍ତ୍ର ସୋ’ରେ ଫୋନି ମୁକାବିଲାର ପୂରା କାହାଣୀ ଦେଖିବାକୁ ମିଳିବ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରାତି ୯ଟାରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ଏହି ସୋ’ର ପ୍ରସାରଣ କରାଯିବ । ତେବେ ଟେଲିକାଷ୍ଟ ହେବା ପୂର୍ବରୁ ଏହି ସ୍ୱତନ୍ତ୍ର ସୋ’ର ପ୍ରୋମୋ ସାମ୍ନାକୁ ଆସିଛି ।

ଏହି ପ୍ରୋମୋରେ ଖାସକରି ଫୋନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଛି । ବାତ୍ୟା ଫୋନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ଦେଖିବାକୁ ମିଳିବ । ଫୋନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର କିଭଳି ଦିନରାତି ଏକ କରି ଦେଇଥିଲେ ତାହା ଏହି ସୋ’ରେ ଦେଖିବାକୁ ପାଇବେ ବିଶ୍ୱବାସୀ । ୧୯୯୯ ମହାବାତ୍ୟାରୁ ୨୦୧୯ ପ୍ରଳୟଙ୍କାରୀ ଫୋନି ପର୍ଯ୍ୟନ୍ତ, ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହିବେ ନବୀନ । ପ୍ରଳୟଙ୍କାରୀ ବାତ୍ୟା ଫୋନି ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ ସାରା ବିଶ୍ୱକୁ ବତାଇବେ ସୁତ୍ର ।

ପ୍ରଳୟଙ୍କାରୀ ବାତ୍ୟା ଫୋନିର ସଫଳ ମୁକାବିଲାକୁ ନେଇ ସୁଟିଂ ହୋଇଥିବା ଏହି ସୋ’ର ନାଁ ରହିଛି MEGA CYCLONE FANI : ‘RESCUING A MILLION’ । ନବୀନ ନିବାସରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବା ବେଳେ ଆଉ କିଛି ଭାଗ ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସୁଟିଂ କରାଯାଇଛି । ଏହାପୂର୍ବରୁ ବାତ୍ୟା ଫୋନିର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଜାତିସଂଘରୁ ମଧ୍ୟ ପ୍ରଂଶସା ମିଳିଥିଲା । ତେବେ ଫୋନି ସମୟରେ ରେସ୍କ୍ୟୁ ଅପରେସନ କିଭଳି ଥିଲା ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୂରା ବିଶ୍ୱ ଦେଖିବ ।