ଗୁରୁଦିବସରେ ଜଣେ ନିଆରା ଶିକ୍ଷକଙ୍କ କାହାଣୀ : ଅବସର ପରେ ବି ବିନା ପାରିଶ୍ରମିକରେ ପାରାଦୀପରେ ଶିକ୍ଷାଦାନ କରୁଛନ୍ତି ହରିହର ରାଉତରାୟ

42

କନକ ବ୍ୟୁରୋ : ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱରଟ୍ଟ ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି ।

ଆଜି ପବିିତ୍ର ଗୁରୁଦିବସ । ଆଜି ଏଭଳି ଜଣେ ଗୁରୁଙ୍କ ବାବଦରେ ଆଲୋଚନା କରିବା, ଯିଏ ନିଜର ବ୍ୟକ୍ତିଗତ ସୁଖକୁ ତ୍ୟାଗ କରି ଶିକ୍ଷାଦାନକୁ ଆଦରି ନେଇଛନ୍ତି । ଘରଦ୍ୱାର, ପୁଅ ବୋହୂଙ୍କୁ ଛାଡି ଶିକ୍ଷାଦାନରେ ସେ ଆନନ୍ଦ ପାଇଥାନ୍ତି । କେନ୍ଦ୍ରାପଡାର ହରିହର ରାଉତରାୟ । ଅବସର ପରେ ବିନା ମୂଲ୍ୟରେ ପାରାଦ୍ୱୀପ ସ୍ଥିତ ମା ଅମ୍ବିକା ହାଇସ୍କୁଲରେ ଶିକ୍ଷାଦାନ କରି ଭବିଷ୍ୟତ ଗଢିବାରେ ଆଜି ବି ସେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ସାଧାରଣ ମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କ ଶିକ୍ଷାଦାନକୁ ଭୁଲି ପାରିନାହାନ୍ତି ପୂରାତନ ଛାତ୍ର ।

କେନ୍ଦ୍ରାପଡାର ହରିହର ରାଉତରାୟ । ବୟସ ୭୭ । ଶିକ୍ଷକ ଭାବେ ବିତାଇ ସାରିଛନ୍ତି ୫୦ ବର୍ଷ । ହେଲେ ଆଜି ବି କମିନାହିଁ ଶିକ୍ଷାଦାନର ନିଶା । ଅବସର ପରେ ବି ଶିକ୍ଷାଦାନର ଅଦମ୍ୟ ଝୁଙ୍କ ଦେଖିବାକୁ ମିଳେ ହରିହର ସାର୍ଙ୍କ ପାଖରେ । ୧୯୬୯ ମସିହାରୁ ଜଗତସିଂହପୁର କୁଜଙ୍ଗ ବନବିହାରି ହାଇସ୍କୁଲରୁ ଶିକ୍ଷାକତା ଜୀବନ ଆରମ୍ଭ କରିଥିବା ହରିହର ସାର୍ ଅବସର ପରେ ବି ପାରାଦ୍ୱୀପ ଅଠରବାଙ୍କୀ ମା ଅମ୍ବିକା ହାଇସ୍କୁଲରେ ଶିକ୍ଷାଦାନ କରୁଛନ୍ତି । ୨୦୦୪ରୁ ଅବସର ନେଇଥିଲେ ବି ଆଜି ଯାଏଁ ପେନସନ ଟଙ୍କା ପାଇନାହାଁନ୍ତି । ତଥାପି ବିନା ପାରିଶ୍ରମିକରେ ସ୍କୁଲରେ ରହି ପିଲାଙ୍କୁ ଇଂରାଜୀ ପାଠ ପଢାଇବାରେ ଆନନ୍ଦ ପାଇଥାନ୍ତି ।

ହରିହର ସାର୍ଙ୍କ ଅନେକ ଛାତ୍ରଛାତ୍ରୀ ଏବେ ଆଇଏଏସ, ଓଏଏସ, ଡାକ୍ତର, ଇଂଜିନିୟର ଏହିଭଳି ଅନେକ ପ୍ରତିଷ୍ଠା ଲାଭ କରିଛନ୍ତି । ନିଜର ୫ ପୁଅଙ୍କ ମଧ୍ୟରୁ ୩ ଜଣ ଓଏଏସ ଅଫିସର ଥିବା ବେଳେ ୨ ପୁଅ ଆମେରିକାରେ ସଫ୍ଟୱେୟାର ଇଂଜିନିୟର ଅଛନ୍ତି । ତଥାପି ତାଙ୍କୁ ଆର୍ଥିକ ମୋହ ବାନ୍ଧି ପାରିନାହିଁ । ହରିହର ସାର୍ କେବଳ ପାଠପଢାନ୍ତି ତାନୁହେଁ, ଶିକ୍ଷକତାରୁ ସମୟ ମିଳିଲେ ଇଂରାଜୀ ବ୍ୟାକରଣ ବହି ଲେଖିବା ସହ କବିତା ମଧ୍ୟ ଲେଖିବାରେ ତାଙ୍କର ରୁଚି ରହିଛି ।

ହରିହର ସାରଙ୍କ ଶିକ୍ଷାଦାନ ଅନେକ ଛାତ୍ରଙ୍କୁ ନୂଆ ଦିଗ ଦେଖାଇ ପାରିଛି । ତାଙ୍କ ପାଖରେ ପଢିଥିବା ଛାତ୍ରମାନେ ଆଜି ବି ସାର୍ଙ୍କ ଶିକ୍ଷାଦାନ ପ୍ରକ୍ରିୟାକୁ ମନେ ପକାନ୍ତି ଆଉ ନିଜକୁ ତାଙ୍କର ଛାତ୍ର ହୋଇଥିବାରୁ ଗର୍ବ ଅନୁଭବ କରନ୍ତି । ଆଜିଭଳି ପବିତ୍ର ଗୁରୁଦିବସରେ ଏଭଳି ଜଣେ ଶିକ୍ଷକଙ୍କର ଅବଦାନ ସମାଜ ପାଇଁ ପ୍ରେରଣା ହେଉ ।