ରାଜଧାନୀ ଭୁବନେଶ୍ୱରରେ ଏ.ଆର ରେହମାନ : ଆଜି କଳିଙ୍ଗ ଷ୍ଟାଡ଼ିୟମରେ କରିବେ ଅଭ୍ୟାସ

112

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ମ୍ୟୁଜିକ୍ ମାଏଷ୍ଟ୍ରୋ ଏ.ଆର ରେହମାନ । ଆଜି କଳିଙ୍ଗ ଷ୍ଟାଡିମରେ କରିବେ ରିହର୍ସାଲ । ୨୭ତାରିଖରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଓସ୍କାର ବିଜେତା ଏ.ଆର ରେହମାନଙ୍କ ରହିଛି ମନୋରଂଜନ କାର୍ଯ୍ୟକ୍ରମ । ଏଥିପାଇଁ ସେ ଗତକାଲିଠାରୁ ଭୁବନେଶ୍ୱରରେ ପହଂଚି ନବୀନ ନିବାସରେ ଅତିଥି ସାଜିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିବା ସହ ତାଙ୍କ ସହ ସେଲଫି ନେଇଛନ୍ତି ରେହମାନ । ନବୀନ ପଟ୍ଟନାୟକ ତାଙ୍କୁ ବନ୍ଧୁ ଭଳି ସମ୍ମାନ ଦେଇଥିବା ରେହମାନ କହିଛନ୍ତି । ୨୭ ଓ ୨୮ତାରିଖରେ କଟକ ଓ ଭୁବନେଶ୍ୱରରେ ରେହମାନ ସଂଗୀତ ପରିବେଷଣ କରିବେ । ଏଥିପାଇଁ ପୁରା ଟିମ୍ ସହ ଆଜି ସେ କଳିଙ୍ଗ ଷ୍ଟାଡିୟମରେ ଷ୍ଟେଜ ରିହର୍ସାଲ କରିବେ ବୋଲି ଜଣାପଡିଛି ।

ସେପଟେ ହକି ପାଇଁ ବଢୁଛି ହୃଦସ୍ପନ୍ଦନ । ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ପହଂଚୁଛନ୍ତି ବିଦେଶୀ ଖେଳାଳୀ । ଏମାନଙ୍କ ମଧ୍ୟରେ ପହଂଚିଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟିମର ଖେଳାଳି । ରାତି ପ୍ରାୟ ୨ଟା ବେଳେ ପହଁଚିଛନ୍ତି ବିଶ୍ୱ ମାନ୍ୟତାର ସପ୍ତମରେ ଥିବା ଇଂଲଣ୍ଡ ଓ ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ । ଆର୍ଜେଂଟିନା ଓ ଫ୍ରାନ୍ସ ସହ ସ୍ପେନ ଓ ନ୍ୟୁଜିଲାଣ୍ଡ ପୁଲ-ଏରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ, ଆର‌୍ୟଲାଣ୍ଡ ଓ ଚୀନ ସହ ଇଂଲଣ୍ଡ ପୁଲ ବିରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।

ଭୁବେନଶ୍ୱରରେ ବିଦେଶୀ ଖେଳାଳିଙ୍କୁ ଦେଖିବା ପାଇଁ ଘରୋଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖିବାକୁ ମିଳିଛି । ସେହିପରି ଶୁକ୍ରବାର ଭୁବନେଶ୍ୱରରେ ପହଁଚିଛି ବିଶ୍ୱ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ସ୍ପେନ ଟିମ୍ । ବୁଧବାର ଓ ଗୁରୁବାର ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଭୁବନେଶ୍ୱରରେ ପଂହଚିସାରିଛନ୍ତି ।