ପଦାରେ ପଡିଲା ପୋଲିସ ବାବୁଙ୍କ କଳା କାରନାମା ! ଡ୍ୟୁଟିରେ ନଥିବା ବେଳେ କରୁଥିଲେ ଚେନ୍ ଲୁଟ୍ ।

37

ଗତ କିଛି ଦିନ ହେବ ପୁଲିସକୁ ଖୁଆଇ ପିଆଇ ଦେଉନଥିବା ମହାରାଷ୍ଟ୍ରର ଜଣେ ଚେନ୍ ଚୋର ନିଜେ ଜଣେ ପୁଲିସ୍ ବୋଲି ଜଣାପଡିଛି । ଏହି ପୋଲିସ ବାବୁଙ୍କୁ ଚେନ୍ ହରାଇଥିବା ମହିଳା ଜଣକ ଚିହ୍ନିବା ପରେ ଗୁରୁବାର ପୁଲିସ୍ ଧରିବାରେ ସମର୍ଥ ହୋଇଛି । ଅଭିଯୁକ୍ତ ଯୋଗେଶ ସିଙ୍ଗରେ(୩୩) ଔରଙ୍ଗାବାଦରେ ଇଣ୍ଡିଆନ୍ ରିଜର୍ଭ ବ୍ୟାଟେଲିଆନ୍ (ଆଇଆରବି)ରେ ଗତ ପାଞ୍ଚ ବର୍ଷ ହେବ କାର୍ଯ୍ୟ କରୁଥିଲେ । ସେ ସହରର ଅଫିସିଆଲ୍ କ୍ୱାଟରରେ ରହୁଥିଲେ ବୋଲି ସୂଚନା ରହିଛି ।

ସତାରା ଅଞ୍ଚଳରେ ଥିବା ପୁଲିସ୍ ଷ୍ଟେସନର ସିନିୟର୍ ଇନସ୍ପେକ୍ଟର ପ୍ରେମସାଗର ଚନ୍ଦ୍ରମୋର କହିଛନ୍ତି କି ସିଙ୍ଗରେ ନିଜେ ସ୍ୱୀକାର କରିଛନ୍ତି କି ସେ ପ୍ରାୟ ୬ ଜଣରୁ ଊର୍ଧ୍ୱ ମହିଳାଙ୍କ ବେକରୁ ସୁନା ଚେନ୍ ଝିଙ୍କି ନେଇଛନ୍ତି । ଗତ ଅଗଷ୍ଟ ୨୪ ତାରିଖରେ ବାଇପାସ୍ ରୋଡର ରେଣୁକାପୁରମର ବାସିନ୍ଦା ସୁରେଖା ରାଜେନ୍ଦ୍ର ଥାଲେ(୩୮) ଅଭିଯୋଗ ଆଣିଥଲେ ଯେ ସେ ବେକରେ ପିନ୍ଧିଥିବା ୩୭,୫୦୦ ଟଙ୍କାର ସୁନା ଚେନକୁ କେହି ଜଣେ ବାଇକରେ ଆସି ଝିଙ୍କି ନେଇଥିଲା । ସୌଭାଗ୍ୟକୁ ନବରାତ୍ରୀରେ ମନ୍ଦିରରେ ଭିଡ଼ ଲାଗିଥିବା ସମୟରେ ଥାଲେ ସେଠାରେ ତାଙ୍କ ବେକରୁ ଚେନ୍ ଛଡ଼ାଇ ନେଇଥିବା ଲୋକକୁ ଦେଖିବାକୁ ପାଇବା ପରେ ପୁଲିସକୁ ଜଣାଇଥିଲେ । ଜାଣିବାକୁ ମିଳିଛି ଯେ ଥାଲେ ଚିହ୍ନଟ କରିଥିବା ଲୋକ ଜଣକ ନିଜେ ପୁଲିସ୍ ।