ପୁଣି ପୁରୀରେ ଫୁଟିଲା ଗୁଳି । ବାଟଗାଁ ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର

29

କନକ ବ୍ୟୁରୋ : ପୁଣି ପୁରୀରେ ଫୁଟିଲା ଗୁଳି । ପୁରୀ ସଦର ବାଟଗାଁ ନିକଟରେ ହୋଇଛି ଏହି ଗୁଳିକାଣ୍ଡ । ଦୁବୁତ୍ତଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଉଛନ୍ତି ଗଙ୍ଗାଧର ଭୋଳ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଛି ବୋଲି ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ଆହତ ହୋଇଥିବା ୪୭ ବର୍ଷିୟ ଗଙ୍ଗାଧର ଭୋଳ ଆଜି ସକାଳ ୮ଟା ପରେ ମୋଟରସାଇକେଲ୍ ଯୋଗେ କାଠପୋଲ ନିକଟସ୍ଥ ଇଟାଭାଟିକୁ ଯାଉଥିଲେ । ସେତିକିବେଳେ ତିନୋଟି ବାଇକ୍ ଯୋଗେ ଆସି ୭ରୁ ୮ଜଣ ବ୍ୟକ୍ତି ତାଙ୍କୁ ଠେଲାପେଲା କରିବା ସହ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କର ବାମ ଜଙ୍ଘରେ ବାଜିବାରୁ ସେ ଆହତ ହୋଇ ପଡ଼ି ଯାଇଥିଲେ ।

ଚିକିତ୍ସା ପାଇଁ ସଦର ଥାନା ଅନ୍ତର୍ଗତ ବାଟଗାଁ’ ନିବାସୀ ଗଙ୍ଗାଧରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଜଙ୍ଘରେ ଗୁଳି ପଶି ରହିଥିବାରୁ ଏବେ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ଗୁଳି ଓ ଖୋକା ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତା ଯୋଗୁଁ ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ପୁଲିସ ତଦନ୍ତ ଜାରି ରଖିଛି ।