ଧର୍ମେନ୍ଦ୍ରଙ୍କ ବିଶାଳ ସାଇକ୍ଲୋଥନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ! ବିଏମସି ଲଗାଇଲା କୋଟିଏ ଟଙ୍କାର ଜରିମାନା

38

କନକ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଇକ୍ଲୋଥନ । କଳିଙ୍ଗ ଷ୍ଟାଡିୟମରୁ ଏହି ସାଇକ୍ଲୋଥନକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ଏହି ସାଇକ୍ଲୋଥନ ଆରମ୍ଭ ହୋଇଛି । ସାଇକ୍ଲୋଥନରେ ଅନେକ ସେଲିବ୍ରିଟିଙ୍କ ସହ ଅନ୍ତର୍ଜାତୀୟ ଖେଳାଳି ସାମିଲ ହୋଇଛନ୍ତି ।

ସେପଟେ ବିନା ଅନୁମତିରେ ହୋଡିଂ ଲଗାଇବା ନେଇ ଆପତି ଉଠାଇଛି ଭୁବନେଶ୍ୱର ମ୍ୟୁନିସପାଲ୍ କର୍ପୋରେସନ୍ । ବେଆଇନ୍ ଭାବେ ହୋଡିଂ ଲଗାଯାଇଥିବାରୁ ଆପତି ଉଠାଇ ୧ କୋଟି ଟଙ୍କାର ଜୋରିମାନା ଲଗାଇଛି ବିଏମସି । ୭ ଦିନ ମଧ୍ୟରେ ୧ କୋଟି ଟଙ୍କା ଫାଇନ୍ ଦେବାକୁ ପେଟ୍ରୋଲିୟମ୍ କନଜର୍ଭେସନ୍ ଆଣ୍ଡ ରିସର୍ଚ୍ଚ ଆସୋସିଏସନ୍କୁ ଚିଠି ଲେଖିଛି ବିଏମସି । ଜରିମାନା ନଦେଲେ ବିଏମସି ବିଜ୍ଞାପନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ବିଏମସିର ବିଜ୍ଞାପନ ନୀତି ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ବେଆଇନ ବିଜ୍ଞାପନ ପ୍ରଦର୍ଶନକାରୀଙ୍କଠାରୁ ପ୍ରତି ହୋର୍ଡିଂ ପିଛା ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିୟମ ରହିଛି । ଏହି ନିୟମ ଅନୁଯାୟୀ ଜରିମାନା ପାଇଁ ନୋଟିସ୍ ହୋଇଛି ବୋଲି ବିଏମସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।

ବିଏମସି ପକ୍ଷରୁ ପିସିଆରଏକୁ ହୋଇଥିବା ନୋଟିସରେ କୁହାଯାଇଛି ଯେ, ଫେବ୍ରୁଆରି ୧ରୁ ୩ତାରିଖ ମଧ୍ୟରେ ରାଜଧାନୀରେ ୨ହଜାର ବେଆଇନ ହୋର୍ଡିଂ ଲଗାଯାଇଛି । ଏଥିପାଇଁ ବିଏମସିରୁ ଅନୁମତି ନିଆଯାଇନି କି ଆବଶ୍ୟକ ଶୁଳ୍କ ପ୍ରଦାନ କରାଯାଇନି । ଏହା ବିଏମସିର ବିଜ୍ଞାପନ ନୀତି, ୨୦୦୬କୁ ଉଲ୍ଲଂଘନ କରୁଛି । ତେଣୁ ବିଏମସିର ବିଜ୍ଞାପନ ନୀତି, ୨୦୦୬ର ପରିଚ୍ଛେଦ ୧୦(ଇ) ଅନୁସାରେ ୧କୋଟି ଟଙ୍କା ଜରିମାନା ଦେବେ । ଆସନ୍ତା ୭ଦିନ ମଧ୍ୟରେ ଏହି ଜରିମାନା ନ ଦେଲେ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମ ଅନୁସାରେ ଜରିମାନା ଖିଲାପକାରୀଙ୍କ ଉପରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯିବ । ଏହାପରେ ବିଏମସି ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଅପରପକ୍ଷେ ଗତକାଲି ବିଏମସିର ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ପକ୍ଷରୁ ହୋର୍ଡିଂ ଗଣତି ସରିବା ପରେ ଉଚ୍ଛେଦ ହୋଇଥିଲା । ବିଏମସିର ପୂର୍ବ ଜୋନ୍ ପକ୍ଷରୁ ହୋର୍ଡିଂ ଉଚ୍ଛେଦ ସମୟରେ କେତେକ ଲୋକ ଏହାକୁ ବିରୋଧ କରିଥିଲେ । ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସାଜିବାରୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଥିଲା ।

ବିଏମସି ପକ୍ଷରୁ କୁହାଯାଇଛି ଯେ, ନୂଆବର୍ଷରୁ ବିଏମସିର ବିଜ୍ଞାପନ ନୀତି ୨୦୦୬କୁ କଡ଼ାକଡ଼ି ଲାଗୁ କରାଯାଇଛି । ଗତ ଜାନୁଆରି ୧୦ତାରିଖରେ ୯ଟି ସଂସ୍ଥାର ୪୯୦ଟି ବେଆଇନ୍ ହୋର୍ଡିଂ ଉଚ୍ଛେଦ କରିବା ସହ ୨୪ଲକ୍ଷ ୫୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ୯ଟି ସଂସ୍ଥା ହେଲେ ବ୍ଲିସଫୁଲ୍ ୟୋଗା ସେଣ୍ଟର୍, ଫ୍ୟୁଚର୍ ଫ୍ଲେମ୍ କମ୍ପ୍ୟୁଟର୍ ଏଜୁକେସନ୍, ନୃତ୍ୟାର୍ଚ୍ଚନା, ଲେଜର୍ ପାଇଲ୍ସ ସେଣ୍ଟର୍, କ୍ଲାଟ୍, ବାଜିରାଓ ଆଇଏଏସ୍ ଏକାଡେମି, କେନସପ୍ଟ ଏଜୁକେସନ, ଭେଟା ଓ ଉଡାନ୍ ଏକାଡେମି ପ୍ରମୁଖ ।