ଯନ୍ତ୍ରଣାରେ ଜୁଝୁଛି ୧୬ ବର୍ଷର ବାଳକ: ଡାକ୍ତରଙ୍କୁ ଦେଖାଇବାକୁ ବାପାମାଆଙ୍କ ପାଖରେ ନାହିଁ ସାମର୍ଥ୍ୟ..ସାହାଯ୍ୟ ଆଶାରେ କୁଳମଣି ମୁହଁରୁ ଭାସି ଆସୁଛି ଏକ ନୀରବ ସ୍ୱର…ମୁଁ ବଞ୍ଚିବାକୁ ଚାହେଁ

2,364

କନକ ବ୍ୟୁରୋ: ଅହସ୍ୟ ରୋଗ ଯନ୍ତ୍ରଣା ସହ ସଂଘର୍ଷ କରୁଛି ୧୬ ବର୍ଷକ ବାଳକ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆଉ ବାକି ପିଲାଙ୍କ ଭଳି ଜୀବନ ଜିଇଁବା ଆଶାରେ ତା କୋହଭରା କଣ୍ଠରୁ ଭାସି ଆସୁଛି ଏକ ନୀରବ ସ୍ୱର.. ମୁଁ ବଂଚିବାକୁ ଚାହେଁ । ଏ ହେଉଛି କୁଳମଣିଙ୍କ ଦୁଃଖଦ କାହାଣୀ ।

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ପଂଚାୟତ ଜରଦା ଗାଁର ଶୁକଦେବ ରାଉତଙ୍କ ବଡପୁଅ କୁଳମଣି । ମୂଲ ଲାଗିଲେ ପରିବାର ଚଳେ । ତେବେ ପିଲାଟି ଦିନରୁ ଏପରି ନଥିଲେ କୁଳମଣି । ଗାଁର ଅନ୍ୟ ପିଲାଙ୍କ ଭଳି ସେ ପାଠପଢୁଥିଲେ । କିନ୍ତୁ ପଂଚମ ଶ୍ରେଣୀ ବେଳକୁ ହଠାତ ତାଙ୍କ ଶରୀରରେ ଅସ୍ୱଭାବିକ ପରିବର୍ତ୍ତନ ଘଟିଥିଲା । ଆଉ ଧିରେ ଧିରେ ତାଙ୍କ ଗୋଡହାତ ଅଚଳ ହୋଇ ଯିବାରୁ ସେ ଆଉ ଚାଲିବୁଲି ପାରିଲେ ନାହିଁ । ପୁଅର ଏଭଳି ଅବସ୍ଥା ଦେଖି ସତେ ଯେମିତି ବାପାମାଆଙ୍କ ମୁଣ୍ଡରେ ଚଡକ ପଡିଗଲା । ଅଭାବୀ ସଂସାର ଭିତରେ ପୁଅର ଚିକିତ୍ସା ଲାଗି ଧାରକରଜ କରି ଡାକ୍ତରଖାନା ନେଇଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା ।

ସେପଟେ ବିପିଏଲ ଶ୍ରେଣୀର୍ଭୁକ୍ତ ହୋଇଥିଲେ ସୁଦ୍ଧା ସରକାରୀ ସହାୟତାରୁ ବଂଚିତ ଅଛନ୍ତି କୁଳମଣିଙ୍କ ପରିବାର । ତେବେ ଏତେ ଦୁଃଖ ଯନ୍ତ୍ରଣା ମଧ୍ୟରେ ବି ମଉଳି ଯାଇନି କୁଳମଣିଙ୍କ ପାଠପଢିବାର ଆଶା । ଦଶମ ପରୀକ୍ଷାରେ କୃତିତ୍ୱ ହାସଲ କରିବା ପରେ ସେ ଏବେ ଯୁକ୍ତ ୨ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷରେ ପାଠପଢୁଛନ୍ତି । ନିଜେ ବସିବା ସ୍ଥାନରୁ ଉଠି ପାରୁନଥିଲେ ବି ଅନ୍ୟର ସହଯୋଗରେ କଲେଜ ଯିବା ଆସିବା କରୁଛନ୍ତି । କିଛି ଦିନ ତଳେ କୁଳମଣି ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କୁଳମଣିଙ୍କ ଗୋଟିଏ କିଡନି ନଷ୍ଟ ହୋଇଯାଇଥିବା କହିଛନ୍ତି ଡାକ୍ତର । ଟଙ୍କା ଅଭାବରୁ କୁଳମଣି ଘରେ ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଯଦି ସରକାରଙ୍କ ତରଫରୁ କୌଣସି ସହୟତା ମିଳିପାରନ୍ତା ତେବେ ପୁଅ ହୋଇଯିବ ବୋଲି ଆକୁଳ ନିବେଦନ କରିଛନ୍ତି କୁଳମଣିଙ୍କ ବାପାମାଆ ।