ଏଣିକି ହାଡ କଟା ଯିବନାହିଁ କିନ୍ତୁ ହୋଇପାରିବ ଓପନ ହାର୍ଟ ସର୍ଜରୀ । ଏସସିବି କାର୍ଡିଓଥୋରାସିସ୍ ବିଭାଗକୁ ଆସିଲା ଇକୋ କାଡିଓଗ୍ରାଫି ମେସିନ

206

କନକ ବ୍ୟୁରୋ : ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗକୁ ଆସିଛି ନୂଆ ଇକୋ କାଡିଓଗ୍ରାଫି ମେସିନ୍‌। ଏହି ମେସିନ୍‌ ସାହାଯ୍ୟରେ ଏଣିକି ହାଡ଼ କଟା ନଯାଇ କରାଯିବ ଓପନ୍‌ ହାର୍ଟ ସର୍ଜରି। ଅର୍ଥାତ୍‌ ଛିଦ୍ର କରାଯାଇ ହେବ ଓପନ୍‌ ହାର୍ଟ ସର୍ଜରି। ଏହି ମେସିନ୍‌ ଖୁବ୍‌ଶୀଘ୍ର କ‌ାର୍ଡିଓଥୋରାସିସ୍‌ ବିଭାଗରେ ବସାଯିବ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ୩୫ବର୍ଷର ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ଓପନ୍‌ ହାର୍ଟ ଅସ୍ତ୍ରୋପଚାର ହେଉଥିବା ବେଳେ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ପରପ୍ୟୁଜିନିଷ୍ଟ ପଦ ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନି। ଏହାକୁ ନେଇ କେବଳ ଚିଠି ପରେ ଚିଠି ସ୍ବାସ୍ଥ୍ୟ ବିଭାଗକୁ ଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ପଦବି ପୂରଣ ହୋଇପାରୁନି। ଏଭଳି ସ୍ଥିତିରେ ଚାଲିଛି ସରକାରୀ ବ୍ୟବସ୍ଥାରେ ଥିବା ରାଜ୍ୟର ଏକମାତ୍ର ଓପନ୍‌ ହାର୍ଟ ସର୍ଜରି କରାଯାଉଥିବା ବିଭାଗର ସ୍ଥିତି।

Source;
cdn.odishatv.in

ସୂଚନା ଅନୁସାରେ, କଟକ ବଡ଼ ଡାକ୍ତରଖାନାରେ ୧୯୮୪ ଅକ୍ଟୋବର ୨୭ରେ ବିଧିବଦ୍ଧ ଭାବେ ଖୋଲିଥିଲା କାର୍ଡିଓଥୋରାସିସ୍‌ ବିଭାଗ। ବିଭାଗରେ ଓପନ୍‌ ହାର୍ଟ ସର୍ଜରି, ଫୁସ୍‌ଫୁସ୍‌, ରକ୍ତନଳୀ ସର୍ଜରି ତଥା ଛାତିର ସମସ୍ତ ପ୍ରକାର ସର୍ଜରି କରାଯାଇଥାଏ। ଘରୋଇ ଡାକ୍ତରଖାନାରେ ଓପନ୍‌ ହାର୍ଟ ସର୍ଜରି ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସ୍‌ସିବିରେ କିନ୍ତୁ ସବୁ ମାଗଣା। ବିଭାଗର ପ୍ରତି ସପ୍ତାହରେ ଓପିଡିକୁ ୧୨୦ରୁ ଅଧିକ ରୋଗୀ ଆସୁଛନ୍ତି। ‌ସେମାନଙ୍କ ଭିତରୁ ମାତ୍ର ୨୫ଜଣ ଭର୍ତ୍ତି ହୋଇଥିବା ବେଳେ ବାକି ‌ରୋଗୀଙ୍କୁ ତାରିଖ ଦେଇ ଫେରାଇ ଦିଆଯାଇଥାଏ। ବିଭାଗରେ ବର୍ଷକୁ ୧୮୪ଟି ଓପନ୍‌ ହାର୍ଟ ସର୍ଜରି ହେଉଥିବା ବେଳେ ୫୦୦ରୁ ଅଧିକ ଅନ୍ୟାନ୍ୟ ଅସ୍ତ୍ରୋପଚାର କରାଯାଇଥାଏ।

ସରକାରୀ ବ୍ୟବସ୍ଥାରେ ମାତ୍ର ଗୋଟିଏ ହସ୍ପିଟାଲ; କଟକ ବଡ଼ ଡାକ୍ତରଖାନାରେ ଓପନ୍‌ ହାର୍ଟ ସର୍ଜରି କରାଯାଇଥାଏ। ଫଳରେ ଅସ୍ତ୍ରୋପଚାର ଅପେକ୍ଷାରେ ସବୁ ସମୟରେ ରହୁଛନ୍ତି ଶତାଧିକ ରୋଗୀ। ରୋଗୀ ସଂଖ୍ୟା ଯେତିକି ବଢୁଛି, ସେହି ଅନୁସାରେ ଶଯ୍ୟା ଅଭାବ ପଡୁଛି। ଆଇସିୟୁ ଅଭାବ ଯୋଗୁଁ ସବୁଦିନ ଅସ୍ତ୍ରୋପଚାର କରିବା ମଧ୍ୟ ସମ୍ଭବ ହୋଇପାରୁନି। ଆଇସିୟୁ ସଂଖ୍ୟା ୪ରୁ ୧୨କୁ ବୃଦ୍ଧି କରିବା ଓ ଶଯ୍ୟାସଂଖ୍ୟା ୩୪ରୁ ୭୦କୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ ମାତ୍ର ଜଣେ ପ୍ରଫେସରରେ ଚାଲିଛି ବିଭାଗ। ଏପରିକି ଓପନ୍‌ ହାର୍ଟ ସର୍ଜରି ପାଇଁ ପରପ୍ୟୁଜିନିଷ୍ଟ ପଦ ନିହାତି ଆବଶ୍ୟକ ଥିବାବେଳେ ଏହି ପଦ ମଧ୍ୟ ଖାଲି ପଡିଛି। ଏଥିସହ ୧୯୮୪ ମସିହାର ପୁରୁଣା ଯନ୍ତ୍ରାଂଶରେ ଚାଲିଛି ବିଭାଗର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର।

ନୂଆ ଯନ୍ତ୍ରାଂଶ କିଣିବାର ଆବଶ୍ୟକତା ମଧ୍ୟ ରହିଛି। ଏଠି ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବା ପରେ ଶେଷରେ ରୋଗୀ ନିରାଶ ହୋଇ ଘରୋଇ ହସ୍ପିଟାଲକୁ ଯାଏ। ଓପନ୍‌ ହାର୍ଟ ସର୍ଜରି ‌ହେଉଛି, ହେଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା କେବେ ହେବ ବିଭାଗରେ? ଯଦି ସରକାର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା କରନ୍ତେ ତେବେ ଏହା କେବଳ ରାଜ୍ୟର ନୁହେଁ ବରଂ ପୂର୍ବଭାରତର ପ୍ରଥମ ମେଡିକାଲ ହୁଅନ୍ତା। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଓଡ଼ିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରନ୍ତା।