ରାଜଧାନୀ ରାସ୍ତାରେ ୨୦୦ ବସ୍ । ଅନଲାଇନରେ ବୁକ କରିପାରିବେ ଟିକେଟ,ଲାଗିଛି ସିସିଟିଭି

ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀ ଏବଂ ଏହା ଆଖପାଖ ଅଞ୍ଚଳରେ ୨୦୦ଟି ନୂଆ ସିଟି ବସ୍ ଗଡ଼ିବ

316

କନକ ବ୍ୟୁରୋ : ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀ ଏବଂ ଏହା ଆଖପାଖ ଅଞ୍ଚଳରେ ୨୦୦ଟି ନୂଆ ସିଟି ବସ୍ ଗଡ଼ିବ। କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କରୁଟ୍) ଅଧୀନରେ ଏହି ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ଲୋକଙ୍କ ଦ୍ବାରା ସିଟି ବସଗୁଡ଼ିକୁ ଅଧିକ ଆଦୃତ କରିବା ପାଇଁ ଏହାର ନାମ ‘ମୋ ବସ୍’ ରଖାଯାଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ମୋ ବସ୍’ ସେବାର ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ। କରୁଟ ସୂଚନା ଅନୁଯାୟୀ, ମୋ ବସର ପ୍ରଥମ ଫେଜରେ ୮ଟି ରୁଟରେ ବସ୍ ସେବା ଆରମ୍ଭ ହେବାକୁ ଥିବା ବେଳେ ଦ୍ବିତୀୟ ଫେଜ୍ ବସ୍ ଚଳାଚଳ ନଭେମ୍ବର ୧୫ରୁ ୮ଟି ରୁଟରେ ହେବ। ଏହି ଦୁଇଟି ପର୍ଯ୍ୟାୟରେ  ୧୦୦ଟି ଲେଖାଏଁ ବସ୍ ଚାଲିବ। ତୃତୀୟ ଫେଜରେ ଏବେ ଚାଲୁଥିବା ୮୯ ଟି ପୁରୁଣା ସିଟି ବସ୍ ଚାଲିବ। ଏହି ପର୍ଯ୍ୟାୟ ଡିସେମ୍ବର ୧୦ରୁ ଆରମ୍ଭ ହେବ।

 

କରୁଟ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ମୋ ବସ୍ ସେବା ୮ଟି ରୁଟରେ ଆରମ୍ଭ ହେବ। ଏହା ରୁଟ୍ ୨୦ରୁ ୨୮ ପର୍ଯ୍ୟନ୍ତ ରହିବ। ରୁଟ୍ ୨୦ରେ ମାଷ୍ଟର କ୍ୟାଣ୍ଟିନ୍ ଟର୍ମିନାଲରୁ ଭାୟା ବାଣୀବିହାର ହୋଇ ଖୋର୍ଦ୍ଧାର ନୂଆ ବସଷ୍ଟାଣ୍ଡ, ରୁଟ୍ ୨୧ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଓୟୁଏଟି ରୁଟରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଜଟଣୀ ହୋଇ ବସ୍ ଚାଲିବ। ସେହିପରି ରୁଟ୍ ୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ରୁଟ୍ ୨୪ରେ କଳିଙ୍ଗ ବିହାରରୁ ଟଙ୍କପାଣି ସାଇ ମନ୍ଦିର, ରୁଟ୍ ୨୫ରେ ଡୁମଡୁମାରୁ ମଞ୍ଚେଶ୍ବର, ରୁଟ୍ ୨୬ରେ ଡୁମଡୁମାରୁ ଚକେଇସିଆଣି, ରୁଟ୍ ୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ, ରୁଟ୍ ୨୮ରେ ମାଷ୍ଟରକ୍ୟାଣ୍ଟିନରୁ କଳିଙ୍ଗନଗର ବସ୍ ସେବା ଆରମ୍ଭ ହେବ।

 

ମୋ ବସ ଫେଜ୍ ୨ରେ ରୁଟ୍ ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭାୟା ନନ୍ଦନକାନନ ହୋଇ କଟକର ବାଦାମବାଡ଼ି ଛକ, ରୁଟ୍ ୧୧ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍ ୧୨ରେ ଶିଖରଚଣ୍ଡୀରୁ ଲିଙ୍ଗରାଜ ମନ୍ଦିର, ରୁଟ୍ ୧୩ରେ ମାଷ୍ଟରକ୍ୟାଣ୍ଟିନରୁ ପଟିଆ, ରୁଟ୍ ୧୪ରେ ବାଣୀବିହାରରୁ ଉତ୍ତରା ଛକ, ରୁଟ୍ ୧୫ରେ ଶିଖରଚଣ୍ଡୀରୁ ସମ୍ ହସ୍ପିଟାଲ, ରୁଟ୍ ୧୬ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମ୍ ହସ୍ପିଟାଲ, ରୁଟ୍ ୧୭ରେ ବାଲିଅନ୍ତାରୁ ଲିଙ୍ଗରାଜ ମନ୍ଦିର, ରୁଟ୍ ୧୮ରେ ଲିଙ୍ଗରାଜ ମନ୍ଦିରରୁ ପୋଖରୀପୁଟର ମଧୁସୂଦନ ପାର୍କ ପର୍ଯ୍ୟନ୍ତ ହପ୍ ଅନ୍ ହପ୍ ଅଫ୍ ସେବାରେ ବସ୍ ଚାଲିବ।

ଖୁବ୍ ଶୀଘ୍ର ଆସିବ ‘ଆପ୍’

ଆରମ୍ଭ ହେବାକୁ ଥିବା ‘ମୋ ବସ୍’ ସେବାରେ ୨୦୦ଟି ନୂଆ ସିଟି ବସ୍ ସମେତ ୮୯ଟି ପୁରୁଣା ସିଟି ବସ୍ ଚାଲିବାକୁ ଥିବାବେଳେ ଲୋକମାନେ କିପରି ସୁବିଧାରେ ସିଟି ବସରେ ଯାତାୟାତ କରିବେ, ସେମାନେ ଅପେକ୍ଷା କରିଥିବା ବସ୍ କେଉଁ ସ୍ଥାନରେ ଅଛି, କେତେବେଳେ ପହଞ୍ଚିବ, କେଉଁ ରୁଟରେ କେଉଁ ବସ୍ ଆସିବ ସେନେଇ ସବିଶେଷ ତଥ୍ୟ ଯୋଗାଇ ଦେବା ପାଇଁ କରୁଟ୍ ପକ୍ଷରୁ ଖୁବ୍ ଶୀଘ୍ର ‘ମୋ ବସ୍’ ଆପ୍ ଆସିବ। ଏହି ଆପ୍ ସ୍ମାର୍ଟଫୋନରେ ଅପଲୋଡ୍ କଲେ ସମସ୍ତ ତଥ୍ୟ ମିଳିଯିବ।