ହସଖୁସିର ସଂସାରରେ ଦୁଃଖର ପାହାଡ଼ ! ଗଳାକର୍କଟ ରୋଗରେ ପୀଡ଼ିତ ହୋଇ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଏବେ ଶଯ୍ୟଶାୟୀ  

162

କନକ ବ୍ୟୁରୋ : ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଗଳାକର୍କଟରେ ପୀଡ଼ିତ । ହସଖୁସିର ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । ଏହି କରୁଣ କାହାଣୀ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଡଗରାସାହି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର । ୪୫ ବର୍ଷିୟ ପୂର୍ଣ୍ଣଚନ୍ଦ୍ର ଗଳାକର୍କଟ ରୋଗରେ ପୀଡ଼ିତ । ଦୁଇ ପୁଅ, ସ୍ତ୍ରୀ ଏବଂ ବୁଢ଼ି ମାଆକୁ ନେଇ ହସ ଖୁସିରେ ଚାଲିଥିଲା ପୂର୍ଣ୍ଣଚନ୍ଦ୍ରଙ୍କ ସଂସାର । ଦିନ ମଜୁରିଆ ପୂର୍ଣ୍ଣ ଗଳାକର୍କଟରେ ଆକ୍ରାନ୍ତ ହେବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି ।

ସରକାରଙ୍କ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଠାରୁ ଦୂରରେ ଥିବା ପୂର୍ଣ୍ଣଚନ୍ଦ୍ର ଚାଳ ଛପର ଘରେ ମୁ୍ଣ୍ଡ ଗୁଞ୍ଜିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ସ୍ଥିତିରେ ପରିବାରର ପେଟକୁ ଦାନା ଗଣ୍ଡାଏ ପାଇଁ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ସଂଗଠନ ଭରସା ପାଲଟିଛନ୍ତି । ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବା ସହ ପରିବାର ଭରଣପୋଷଣ ପାଇଁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି । ତଦନ୍ତ କରାଯାଇ ପୂର୍ଣ୍ଣଚନ୍ଦ୍ରଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ନିମାପଡା ବିଡିଓ ।

ଚିକିତ୍ସା ଅଭାବରୁ ପୁର୍ଣ୍ଣଚନ୍ଦ୍ର ଏବେ ଶଯ୍ୟାଶାୟୀ  । ସ୍ୱାମୀଙ୍କ ଚିକିତ୍ସା ପାଇଁ ଅର୍ଥାଭାବ ଥିବାରୁ ସହାୟତା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ, ବାଦାନବ୍ୟକ୍ତି ବିଶେଷ ଏବଂ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ ମୀନା ବେହେରା ।