ରାଜ୍ୟ ବାହାରେ ଫସିଛନ୍ତି ଓଡିଆ: ବିଭିନ୍ନ ସ୍ଥାନରୁ ଆସୁଛି ଚିତ୍ର; ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ କଲେ ନିବେଦନ

ମହାରାଷ୍ଟ୍ରରେ ଫସିଛନ୍ତି ବଲାଙ୍ଗିର ଓ ବରଗଡ ଜିଲ୍ଲାର ୪୦ ଶ୍ରମିକ

928

କନକ ବ୍ୟୁରୋ: କରୋନା ପାଇଁ ସାରା ଦେଶରେ ଏବେ ତାଲାବନ୍ଦ । ଏହି ସମୟରେ ବିଭିନ୍ନ ସ୍ଥାନରେ ଫସିଛନ୍ତି ଓଡିଆ ଶ୍ରମିକ । ମହାରାଷ୍ଟ୍ରର ପୁନେରେ ଫସିଛନ୍ତି ବରଗଡ ଓ ବଲାଙ୍ଗିର ଜିଲ୍ଲାର ୪୦ ଶ୍ରମିକ । ମହାରାଷ୍ଟ୍ରରୁ ଉଦ୍ଧାର ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ଶ୍ରମିକଙ୍କ କହିବା କଥା ହେଲା, ଯାହା ଟଙ୍କା ଥିଲା ତାହା ସରିଗଲାଣି । କମ୍ପାନୀ ବି ବନ୍ଦ ହୋଇଯାଇଛି । କାମ ବନ୍ଦ ଯୋଗୁଁ ରହିବା ଓ ଖାଇବାରେ ଅସୁବିଧା ସୃଷ୍ଟି ହୋଇଛି ।

ସେହିପରି କରୋନା ପାଇଁ ତାଲାବନ୍ଦ ଯୋଗୁଁ ଓଡିଶା ବାହାରେ ଫସିଛନ୍ତି ଓଡିଆ । ବିଭିନ୍ନ ସ୍ଥାନରୁ ଆସୁଛି ଓଡିଆ ଶ୍ରମିକଙ୍କ ଆକୁଳ ନିବେଦନ । ତାମିଲନାଡୁର ତିରୁପୁରରେ ଫସିଛନ୍ତି ମାଲକାନଗିରି ଅଂଚଳର ଅନେକ ଓଡିଆ । ଏମାନେ ଖାଇବାକୁ ନ ପାଇ ଦୁର୍ଦ୍ଦିନ ଅବସ୍ଥାରେ ଅଛନ୍ତି । ଶୀଘ୍ର ଉଦ୍ଧାର ପାଇଁ ସେମାନେ ମାଲକାନଗିରି ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି ହାଇଦ୍ରବାଦରେ ଫସିଛନ୍ତି ବାଲେଶ୍ୱର ଖଇରା ବ୍ଲକର କିଛି ଓଡିଆ । ତାଲାବନ୍ଦ ଯୋଗୁଁ ସେମାନଙ୍କୁ କୌଣସି ପ୍ରକାରର ସହାୟତା ପହଂଚିପାରୁନାହିଁ । ଉଦ୍ଧାର ପାଇଁ ସେମାନେ ରାଜ୍ୟସରକାର ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀକୁ ଅନୁରୋଧ କରିଛନ୍ତିା

ଅନ୍ୟପଟେ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଫସିରହିଛନ୍ତି ଆଠ ଜଣ ଶ୍ରମିକ । ଏଠାରେ ଏକ ଇଟାଭାଟିରେ ଏମାନେ କାମ କରିବାକୁ ଆସିଥିଲେ । ଲକଡାଉନ ଯୋଗୁଁ ଏମାନେ ଘରକୁ ଫେରିପାରୁନାହାନ୍ତି । ଏମାନେ ପ୍ରଶାସନକୁ ଗୁହାରି କରିଛନ୍ତି ଉଦ୍ଧାର କରି ଘରେ ଛାଡିବାକୁ ।