ରଖେ ହରି ମାରେ କିଏ ! ଟ୍ରେନ ଟ୍ରାକରେ ପଡିଗଲା କୁନି ଝିଅ, କିଛି ଏହିଭଳି ଭାବେ ମୃତ୍ୟୁର ମୁହଁ ଭିତରୁ ଗେହ୍ଲି ଝିଅକୁ ବଞ୍ଚାଇ ଆଣିଲେ ବାପା ।

1,085

କନକ ବ୍ୟୁରୋ : କଥାରେ ଅଛି, ରଖେ ହରି ମାରେ କିଏ । ଯେତେବଡ ବିପଦ ହେଇଥାଉ ନା କାହିଁକି, ଯାହାକୁ ଭଗବାନ ରକ୍ଷା କରିବେ, ତାର ବା କିଏ କଣ କ୍ଷତି କରିପାରିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ, ଯାହା ଦେଖିଲେ ଆପଣଙ୍କ ଆଖି ସ୍ତବ୍ଧ ହୋଇ ରହିଯିବ ।

ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ

ଲୋମଟାଙ୍କୁରି ଉଠିବା ଭଳି ଦୃଶ୍ୟ । ଭୟଙ୍କର ଗର୍ଜନ କରି ଟ୍ରାକରେ ଦ୍ରୁତ ବେଗରେ ମାଡିଚାଲିଛି ଟ୍ରେନ୍ । ଆଉ ଟ୍ରେନ୍ ତଳେ ଦୁଇଜଣ ଶୋଇ ରହିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଟ୍ରେନ୍ ଟ୍ରାକ ନିକଟରେ କାହିଁକି ଏହି ଦୁଇଜଣ ଶୋଇ ରହିଛନ୍ତି । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଷ୍ଟେସନରେ ନିଜ କୁନି ଝିଅକୁ ଧରି ଟ୍ରେନକୁ ଅପେକ୍ଷା କରିଥିଲେ ବାପା । କୁନି ଝିଅଟି ବି ଷ୍ଟେସନରେ ଖୁସିରେ ଖେଳୁଥିଲା । ଆଉ ଖେଳୁ ଖେଳୁ ଘଟିଯାଇଥିଲା ଏକ ବଡ ଅଘଟଣ । ପ୍ଲାଟଫର୍ମ ତଳକୁ ଖସିପଡିଥିଲା କୁନି ଝିଅଟି । ଆଉ ଏହି ସମୟରେ ଟ୍ରାକରେ ମାଡିଆସୁଥିଲା କାଳ ରୂପୀ ଟ୍ରେନ୍ ।

ପ୍ଲାଟଫର୍ମରୁ ତଳେ ପଡିଯିବା ପରେ କୁନି ଝିଅଟି କାନ୍ଦି ଉଠିଥିଲା । ଆଉ ଝିଅର ସ୍ୱର ଶୁଣି ବାପା ଯେତେବେଳେ ଟ୍ରାକ ତଳକୁ ଦେଖିଥିଲେ, ସେ ସ୍ତବ୍ଧ ହୋଇଯାଇଥିଲେ । ଗୋଟିଏ ପଟେ ଦ୍ରୁତଗତିରେ ଟ୍ରେନଟି ମାଡିଆସୁଥିବା ବେଳେ କେମିତି ନିଜ ଝିଅର ଜୀବନ ରକ୍ଷା କରିବେ ଭାବିପାରୁନଥିଲେ ବାପା । ଆଉ ଏହାରି ଭିତରେ ସେ ନିଜେ ମଧ୍ୟ ତଳକୁ ଡେଇଁ ପଡିଥିଲେ ।

ଟ୍ରେନଟି ପାଖକୁ ଚାଲିଆସିଥିବାରୁ ଝିଅଟିକୁ ଟ୍ରାକରୁ ଉଠାଇଆଣି ଟ୍ରାକ୍ କଡରେ ଶୋଇ ରହିଲେ ବାପା । ଧିରେ ଧିରେ ଟ୍ରେନଟି ମଧ୍ୟ ଟ୍ରାକ୍ ଅତିକ୍ରମ କରିଗଲା । ଆଉ ନିଜ ଝିଅକୁ ସୁରକ୍ଷିତ ଭାବେ ବଂଚାଇଆଣିଲେ ବାପା । ଶେଷରେ ବାପା-ଝିଅର ଭଲପାଇବା ଆଗରେ ହାର ମାନିଥିଲା ମୃତ୍ୟୁ ।
ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଯିଏବି ଦେଖୁଥିଲେ, ସମସ୍ତଙ୍କ ଆଖି ଓଦା ହୋଇଯାଇଥିଲା ଆଉ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । ଘଟଣାଟି ହେଉଛି ଇଜିପ୍ଟର ଏକ ରେଲୱେ ଷ୍ଟେସନର । ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି । ଖୁବ ଅଳ୍ପ ସମୟ ମଧ୍ୟରେ ଏହି ଭିଡିଓ ଅନେକ ଲୋକ ଦେଖିସାରିଲେଣି ।

ସତରେ ବାପା ମା ହେଉଛନ୍ତି ଇଶ୍ୱରଙ୍କ ଚଳନ୍ତି ପ୍ରତିମା । କାରଣ ଏଭଳି ମୃତ୍ୟୁ ମୁହଁରୁ କେବଳ ଭଗବାନ ହିଁ ରକ୍ଷା କରିପାରନ୍ତି । ଆଉ ଯେତେବେଳେ, ନିଜ ପିଲାଙ୍କ କଥା ଆସେ, ସେତେବେଳେ ନିଜେ କଷ୍ଟ ସହି ପିଲାଙ୍କ ସବୁ ଦୁଃଖ ଦୂର କରିଥାନ୍ତି ବାପା ମା । ଆଉ ଯେତେବେଳେ କୁନି ଝିଅଟି ଟ୍ରାକରେ ପଡିଯାଇଥିଲା, ମୃତ୍ୟୁକୁ ଖାତିର ନକରି କେମିତି ବା ତଳକୁ ଡେଇଁନଥାନ୍ତେ ବାପା । ଝିଅ ପ୍ରତି ବାପାଙ୍କ ଭଳପାଇବା ଆଗରେ ଶେଷରେ ମୃତ୍ୟୁକୁ ମଧ୍ୟ ମୁଣ୍ଡ ନୁଆଁଇବାକୁ ପଡିଥିଲା ।