ବିନି ଦିଦି ପରେ ଏବେ ଚର୍ଚ୍ଚାରେ ପୁଷ୍ପଲତା: ରୋଗୀଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାନ୍ତି, ନଈ ପାର ହୋଇ ସେବା କରନ୍ତି

455

କନକ ବ୍ୟୁରୋ: ଭରା ନଈ, ପ୍ରଖର ସ୍ରୋତ । ନଈ ମଝିରେ ଅଣ୍ଟେ ଅଣ୍ଟେ ପାଣି । ପାଣି ଭିତରେ ପାଦେ ପାଦେ ବିପଦ, ଗୋଡ ଟିକେ ଏପଟ ସେପଟ ହେଲେ ଭାସିଯିବାର ଭୟ, ପାଣି ବଢିଗଲେ ବୁଡିଯିବାର ଆଶଙ୍କା । ଆଉ ତାରି ଭିତରେ ଲୋକଙ୍କ ସେବା କରିବାର ଅଦମ୍ୟ ଝୁଙ୍କ, ନଈ ଡେଇଁବାର ଅଖଣ୍ଡ ଆତ୍ମବିଶ୍ୱାସ । ସେଇଥିପାଇଁ ବୋଧେ ପାଣି ପାରେଇ ସବୁଦିନ ଏମିତି ଲୋକଙ୍କୁ ଚିକିତ୍ସା କରିବାକୁ ଯାଆନ୍ତି ଛତିଶଗଡର ପୁଷ୍ପଲତା ।

ଲୋକଙ୍କ ଦୁଃଖ, ରୋଗୀର ଆର୍ତ୍ତ ଚିକ୍ରାର, କଅଁଳା ଶିଶୁର କାନ୍ଦ ଆଉ ଗର୍ଭବତୀ ମହିଳାର ଗୁହାରୀ ପୁଷ୍ପାଙ୍କୁ ପାଣି ପାରକରି ଆରପଟକୁ ଯିବାକୁ ସାହସ ଦିଏ । ରୋଗୀଟିଏ ଭଲ ହେବା ପରେ ତା ମୁହଁର ହସ ତାଙ୍କୁ ଆତ୍ମତୃପ୍ତି ଦିଏ, ଆଉ ସେ ପାଣି ମଝିରେ କରୁଥିବା ସଙ୍ଘର୍ଷକୁ ହଜାଇଦିଏ । ସେଇଥିପାଇଁ ତ ପୁଷ୍ପାଙ୍କୁ ଲୋକେ ସେବାର ସାକ୍ଷାତ ଦେବୀ ବୋଲି କୁହନ୍ତି ।

ଅନେକ ସଂଘର୍ଷ ପରେ ଛତିଶଗଡ ବଳରାମପୁର ଗାଁରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚନ୍ତି ପୁଷ୍ପଲତା । ନଈ ପାର ହେବା ପରେ ବିଲରେ ଚାଲିଚାଲି ଜଙ୍ଗଲିଆ ରାସ୍ତା ଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚନ୍ତି ପୁଷ୍କା । ତେବେ ଜୀବନ ପ୍ରତି ବିପଦ ଥିଲେ ବି ଲୋକଙ୍କ ସେବା ଆଗରେ ସେସବୁ ତୁଚ୍ଛ ବୋଲି ପୁଷ୍ପା କୁହନ୍ତି ।

ତେବେ ଛତିଶଗଡର ପୁଷ୍ପାଙ୍କ ଭଳି ଓଡିଶାର ବିନି ଦିଦି ମଧ୍ୟ ନଈ, ପାହାଡ ପାର ହୋଇ ସ୍କୁଲରେ ପିଲାଙ୍କୁ ପଢାଇବାକୁ ଯାଆନ୍ତି । ନିଜ ଜୀବନକୁ ବାଜି ଲଗାଇ, ଢେଙ୍କାନାଳର ସାପୁଆ ନଈ ପାରେଇ ସେ କେମିତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାକୁ ସଂଘର୍ଷ କରନ୍ତି ତାହା ଆମେ ଦେଖାଇଥିଲୁ । ତେବେ ଶିକ୍ଷାର ସାକ୍ଷାତ ଦେବୀ ବିନି ଦିଦିଙ୍କ ପରି ଏବେ ସେବାର ସାକ୍ଷାତ ଦେବୀ ପୁଷ୍ପାଙ୍କୁ ନେଇ ସବୁଠି ଚର୍ଚ୍ଚା ।