ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବଜେଟରେ ଆସିପାରେ ‘ଫ୍ୟାଟ’ ଟ୍ୟାକ୍ସ

31

କନକ ବ୍ୟୁରୋ : ବଜେଟରେ ଆସିପାରେ ‘ଫ୍ୟାଟ’ ଟ୍ୟାକ୍ସ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଜଙ୍କ ଫୁଡ ଓ ଶର୍କରାଯୁକ୍ତ ଖାଦ୍ୟ ଉପରେ ଲାଗିବ ଏହି ଅତିରିକ୍ତ ଟିକସ । ଏନେଇ ଆଗାମୀ ସାଧାରଣ ବଜେଟରେ ବ୍ୟବସ୍ଥା ହୋଇପାରେ ବୋଲି ଜୋରଦାର ଚର୍ଚ୍ଚା । କାରଣ କେନ୍ଦ୍ର ସ୍ୱାସ୍ଥ୍ୟ, ପରିମଳ ଓ ସହରାଂଚଳ ବିକାଶ ବିଭାଗର ସଚିବମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଥିବା ଜଣାପଡିଛି ।

ଭାରତକୁ ଡାଇବେଟିସର ରାଜଧାନୀ ବୋଲି କୁହାଯାଉଛି । ଏଠାରେ ଟାଇପ-ଟୁ ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ । ତେଣୁ ମଧୁମେହ ଓ ମେଦବହୁଳ ଭଳି ରୋଗ କମ୍ କରିବାକୁ ଏଭଳି ବ୍ୟବସ୍ଥା ହେବା ଯଥେଷ୍ଟ ସମ୍ଭାବନା ରହିଛି ।

ଜଙ୍କ ଫୁଡ ଓ ଶର୍କରାଯୁକ୍ତ ଖାଦ୍ୟ ଖାଇବା ଫଳରେ ଏହି ରୋଗ ବ୍ୟାପୁଛି । ତେଣୁ ଏସବୁ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଟିକସ ବସାଇଲେ ମୂଲ୍ୟ ବଢିବ । ଦର ଅଧିକ ହେଲେ କିଣିବା ପାଇଁ ଲୋକଙ୍କ ଆଗ୍ରହ କମିବ ଓ ରୋଗ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଗତବର୍ଷ ଏପ୍ରିଲ ମାସରୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଏଥିସହ ଜଙ୍କଫୁଡ ଓ ଶର୍କରାଯୁକ୍ତ ଖାଦ୍ୟ ସାମଗ୍ରୀର ପ୍ରଚାର, ପ୍ରସାର ଓ ଟେଲିଭିଜନ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲଗାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର । ଏକ ଆକଳନରୁ ଜଣା ପଡିଛି ଯେ, ଭାରତରେ ବର୍ଷକୁ ପ୍ରାୟ ୫.୮ ମିଲିଅନ ଲୋକଙ୍କ ହୃଦଘାତ ଓ ଫୁସଫୁସ ଜନିତ ସଂକ୍ରମଣରୁ ମୃତ୍ୟୁ ହେଉଛି ।

ସେହିପରି କେବଳ ୨୦୧୫ ମସିହାରେ ୬୯.୧ ମିଲିଅନ ଭାରତୀୟଙ୍କଠାରେ ଡାଇବେଟିସ୍ ରୋଗ ଚିହ୍ନଟ ହୋଇଛି । ଏବଂ ଏସବୁ ରୋଗର କାରଣ ଆମର ଖାଦ୍ୟାଭ୍ୟାସ । ଅତ୍ୟଧିକ ଜଙ୍କ ଫୁଡ ଓ ଶର୍କରାଯୁକ୍ତ ଖାଦ୍ୟ ଖାଇବା ଫଳରେ ଡାଇବେଟିସ୍ ଭଳି ରୋଗ ବ୍ୟାପୁଛି ।