ଓଡିଶାରେ ଅଳିଆ ସଫା କଲେ ସୁଇଜରଲ୍ୟାଣ୍ଡ ଦମ୍ପତି: ରାସ୍ତା କଡରେ ସଫେଇ କରି ଦେଶକୁ ସ୍ୱଚ୍ଛ ରଖିବାକୁ ଦେଲେ ବାର୍ତ୍ତା

289

କନକ ବ୍ୟୁର: ଓଡିଶାରେ ସଫେଇ କଲେ ସୁଇଜରଲ୍ୟାଣ୍ଡ ଦମ୍ପତି । ହାତରେ ଅଖା ଓ ସଫେଇ ଯନ୍ତ୍ର ଧରି ସହର ସଫା କଲେ ସୁଇଜରଲ୍ୟାଣ୍ଡରୁ ଆସିଥିବା ସ୍ୱାମୀସ୍ତ୍ରୀ । କୋରାପୁଟକୁ ବୁଲିବାକୁ ଆସିଥିବା ଏହି ଦମ୍ପତି ସହରର ରାସ୍ତା କଡରେ ପଡିଥିବା ଅଳିଆ ଆବର୍ଜନାକୁ ଗୋଟାଇବା ସହ ସେସବୁକୁ ଏକ ଅଖାରେ ଭରୁଥିବା ଦେଖିବାକୁ ମିଳିଥିଲା । ତେବେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ନିଜ ପରିବେଶ ସହ ନିଜ ଦେଶକୁ ସଫା ସୁତୁରା ରଖିବାକୁ ଏହି ବିଦେଶୀ ଦମ୍ପତି ବାର୍ତ୍ତା ଦେଇଛନ୍ତି ।

ସୁଇଜରଲ୍ୟାଣ୍ଡ ଦମ୍ପତି ସଫେଇ କରୁଥିବାର ଭିଡିଓ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ନିଜ ଟୁଇଟର ପେଜରେ ପୋଷ୍ଟ କରିବା ପରେ ସେମାନଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି । ତେବେ ପରିବେଶକୁ ସ୍ୱଚ୍ଛ ରଖିବାକୁ ସାଧାରଣ ଲୋକେ ଯେଉଁଠି କୁଣ୍ଠାବଧ ହେଉଛନ୍ତି ସେଇଠି ବିଦେଶୀ ଦମ୍ପତିଙ୍କ ଏଭଳି ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।