ଝାରସୁଗୁଡାରୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ସୁଧ କାରବାର କରୁଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ମୃତକଙ୍କ ଭାଇ

ରାସ୍ତାକଡରୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ

111

କନକ ବ୍ୟୁରୋ : ରାସ୍ତାକଡରୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ଝାରସୁଗୁଡା ନିକଟ ବେହେରାପାଲି ରାସ୍ତା କଡରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ବୁରାମାଲ ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ଖବର ପାଇ ବଡମାଲ ଥାନା ପୁଲିସ ଘଟଣାସ୍ଥଳକୁ ଡଗ ସ୍କ୍ୱାଡ, ସାଇଂଟିଫିକ୍ ଟିମ୍ ସହ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମୁହଁକୁ ଦୁର୍ବୃତ ପଥରରେ ଛେଚି କିମ୍ବା ଧାରୁଆ ଅସ୍ତ୍ରରେ ହାଣି ବିକୃତ କରିଦେଇଥିବାରୁ ଠିକଭାବେ ଚିହ୍ନି ହେଉନାହିଁ ।

ମୃତ ଅକ୍ଷୟ ସୁଧରେ ଟଙ୍କା ଦିଆନିଆ କାରବାର କରୁଥିଲେ । କେହି ଟଙ୍କା ପରିଶୋଧ କରିନପାରି ଅକ୍ଷୟଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଟଙ୍କା ଆଦାୟ କରିବାକୁ ଯାଇ ଅକ୍ଷୟ ଆଉ ଘରକୁ ଫେରିନଥିଲେ । ମୃତଦେହ ଠାରୁ ୫୦ ମିଟର ଦୁରେ ମୋବାଇଲ ଓ ଅଳ୍ପଦୁରେ ଶୀତବସ୍ତ୍ର ପଡିଥିଲା । ସେହିପରି ମୃତଦେହ ଠାରୁ ଅଳ୍ପଦୁରରେ ମଦ ବୋତଲ ପଡିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି । ଅନେକ ଲୋକ ତାଙ୍କ ପାଖରୁ ପଇସା ନେଇଥିଲେ ତେଣୁ ତାଙ୍କୁ ପଥରରେ ଛେଚି ମାରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।