ବାଲେଶ୍ୱରରେ ଜମି ଦଲାଲଙ୍କ ଶିକାର ହେଲେ ମହିଳା । ଟଙ୍କା ଦେଇ ମିଳିଲାନି ଜାଗା, ଦଲାଲ ଧରାଇ ଦେଲା ନକଲି ନକ୍ସା ।

393

କନକ ବ୍ୟୁରୋ : ସରକାରୀ ଅଫିସକୁ ଦୌଡି ଦୌଡି ଘର କରିବାର ସ୍ୱପ୍ନ ଭାଙ୍ଗି ଗଲାଣି । ଥାନରୁ ତହସିଲ, ତହସିଲରୁ ଜିଲ୍ଲପାଳ ଅଫିସ ଦୌଡି ଦୌଡି ଚପଲ ଘୋରି ହୋଇ ଗଲାଣି । ଏମିତି ଅଭିଯୋଗ କରିଛନ୍ତି ବାଲେଶ୍ୱରରେ ଜମି ଦଲାଲଙ୍କ ଶିକାର ହୋଇଥିବା ମହିଳା । ଜମିଟିଏ କିଣି ଘର କରିବା ପାଇଁ ଟଙ୍କା ଦେଇଥିଲେ ହେଲେ ଜାଗା ମିଳିଲାନି, ଦଲାଲ ଧରାଇ ଦେଲା ଜାଲି ନକ୍ସା ।

ବାଲେଶ୍ୱରରେ ଭଡା ଘର ନେଇ ରୁହନ୍ତି ରେବତୀ କୁମାରୀ ବେହେରା ଓ ତାଙ୍କ ସ୍ୱାମୀ । ନିଜର ଗୋଟିଏ ଘର କରିବା ସ୍ୱପ୍ନ ନେଇ ରେବତୀ ଜଣେ ଦଲାଲ ମାଧ୍ୟମରେ ବାଲେଶ୍ୱର ସରସ୍ୱତୀ ପୁର ମୌଜାରେ ୩ ଡିସିମିଲ ଜାଗା କିଣିଥିଲେ । ଜମି ମାଲିକ ଗୌରୀମଣି ଦାସଙ୍କୁ ୬ ଲକ୍ଷ ୫୫ ହଜାର ଟଙ୍କା ଦେଇ ଉପନିବନ୍ଧକଙ୍କ ନିକଟରେ ରେଜିଷ୍ଟ୍ରେସନ୍ କରିଥିଲେ । ହେଲେ ଦଲିଲ ନେବା ସମୟରେ ନକ୍ସା ନକଲି ବୋଲି ଜାଣିବା ପରେ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି ରେବତୀ ଓ ତାଙ୍କ ସ୍ୱାମୀ । କିଏ କହୁଛି ଜମି ମାଲିକ ଟଙ୍କା ଦେଇ ନକ୍ସା ବଦଳାଇ ଦେଇଛନ୍ତି ତ କିଏ କହୁଛି ଏହା ସିଭିଲ ମ୍ୟାଟର ତହସିଲଦାରଙ୍କୁ ଦେଖାକର । ଘର କରିବା ସ୍ୱପ୍ନ ଧିରେ ଧିରେ ମଉଳି ଯାଉଥିବା ବେଲେ ଏନେଇ ସହଦେବ ଖୁଂଟା ଥାନାର ଦ୍ୱାରସ୍ଥ ହୋଇଛନ୍ତି ରେବତୀ । ତେବେ ଜମି କାଗଜ ପତ୍ରରେ ହେରେଫେର ହୋଇଥିବା ତହସିଲଦାର ସ୍ୱୀକାର କରିଥିବା ବେଳେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଅଭିଯୋଗ ସଂପର୍କରେ ବାଲେଶ୍ୱର ଉପନିବନ୍ଧକ କାର୍ଯ୍ୟାଳୟର ମୋହରିର୍ କହିଛନ୍ତି, ମୁଁ ଯେଉଁ ଦଲିଲ ଲେଖିଥିଲି ତାହାକୁ ଦାଖଲ କରିସାରିଛି । ନକ୍ସା କେମିତି ବଦଳିଲା ତାହା ମୋତେ ଜଣାନାହିଁ । ଏହାପରେ ଆମ ପ୍ରତିନିଧି ଭେଟିଥିଲେ ଉପନିବନ୍ଧକଙ୍କୁ । ଆଉ ପୂରା ଘଟଣାକୁ ନେଇ ସେ ଯାହା କହିଲେ, ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ । ଜାଲ ନକା୍ସରେ ଉପନିବନ୍ଧକଙ୍କ ଦସ୍ତଖତ ରହିଥିବା ବେଳେ ସବୁ କାଗଜ ପତ୍ର ଉପନିବନ୍ଧକ ଯାଂଚ କରିପାରିବେ ନାହିଁ, ବେଳେ ବେଳେ ଏମିତି ଭୁଲ ହୁଏ ବୋଲି ଯୁକ୍ତି ବାଢିଛନ୍ତି ସଂପୃକ୍ତ ଅଧିକାରୀ । ତେବେ ଅଫ କ୍ୟାମେରାରେ ଅଜବ ଯୁକ୍ତି ବାଢୁଥିବା ଉପନିବନ୍ଧକ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ । ତେବେ ଜଣେ ନିଜର ଘର ଖଣ୍ଡିଏ କରି ଶାନ୍ତିରେ ନିଶ୍ୱାସ ମାରିବାକୁ ଜୀବନ ଯାକର ସଞ୍ଚିତ ପୁଞ୍ଜିକୁ ଦେଇ ସାରିବା ପରେ ସରକାରୀ ଅଫିସରେ ଠକାମିର ଶିକାର ହେବା ବିଡମ୍ବନା ନୁହେଁ ତ ଆଉ କଣ ।