ଯମ ଜଗିଥିଲା କୂଅ ଭିତରେ ! ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୧୦ରୁ ଅଧିକ ମୃତ, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା

3,067

କନକ ବ୍ୟୁରୋ: ମୃତ୍ୟୁର କୂଅରେ ଖସିଲା ବସ । କୂଅର କଳା ଅନ୍ଧକାରରେ ଖସି ପଡିଲା ଯାତ୍ରୀବାହୀ ବସ । କୂଅ ଭିତରେ ଖସିପଡି ୭ରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏଭଳି ଛାତିଥରା ଦୁର୍ଘଟଣାର ଖବର ଆସିଛି ମହାରାଷ୍ଟ୍ର ନାସିକ ଅଞ୍ଚଳରୁ ।

ନାସିକ ନିକଟସ୍ଥ ମାଲେଗାଁଓରେ ଏକ ଯାତ୍ରୀବାହୀ ବସ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିବାରୁ ୭ରୁ ୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହାସହିତ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ଏଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ତେବେ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବସଟି ମଙ୍ଗଳବାର ଦିନ ମାଲେଗାଁଓରୁ କାଲଓ୍ଵାକୁ ଯାଉଥିବା ବେଳେ ଅପରାହ୍ଣ ୩ଟା ୪୫ ମିନିଟରେ ଏକ ଅଟୋରିକ୍ସା ସହିତ ଧକ୍କା ହୋଇଥିଲା । ଏହାଫଳରେ ଅଟୋରିକ୍ସାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବସଟି ଭାରସାମ୍ୟ ହରାଇ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଗଳିପଡ଼ିଥିଲା ।