ଜାମୁ ଗଛରୁ ପଡି ନାବାଳକ ଗୁରୁତର । ବେକ ଭିତରେ ପଶି ରହିଛି ଖୁଂଟ । କଟକ ବଡ ମେଡିକାଲରେ ଭର୍ତ୍ତି

110

କନକ ବ୍ୟୁରୋ: ଜାମୁ ଗଛରୁ ପଡି ନାବାଳକ ଗୁରୁତର । ବେକ ଭିତରେ ପଶି ରହିଛି ଖୁଂଟ । କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ଧାଙ୍ଗଡଡିହା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ୧୨ ବର୍ଷର ବାଳକ ବିଷ୍ଣୁ ମହାକୁଡ ଜାମୁକୋଳି ତୋଳିବାକୁ ଗଛରେ ଚଢିଥିବା ବେଳେ ଗଛରୁ ଖସି ପଡି ଗୁରୁତର ହୋଇଛି । କୋଳି ତୋଳିବା ବେଳେ ଜାମୁ ଗଛର ଡାଳ ଭାଙ୍ଗି ଯିବାରୁ ଖସି ପଡିବା ବେଳେ ତଳେ କୋରେଇ ଗଛର ଖୁଂଟି ପିଲାଟିର ବେକ ଭିତରେ ପଶି ଯାଇଥିଲା । ବହୁ କଷ୍ଟରେ ଖୁଂଟିକୁ କରତରେ କାଟି ଗ୍ରାମବାସୀ ଉଦ୍ଧାର କରିବା ପରେ ବିଷ୍ଣୁକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ୨ ଘଂଟା ପରେ ବି ତାଙ୍କର କୌଣସି ଚିକିତ୍ସା ହୋଇ ପାରିନଥିଲା । ପରେ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୁମ୍ମା ପଥର କୁଆଁରିରେ ଅଘଟଣ ଘଟିଛି । ପାହାଡ ଧସି ୨ ଜଣ ଜେସିବି ଅପରଟେର ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇଜଣ ଏବେ ବି ମାଟିତଳେ ଫସିରହିଛନ୍ତି । ଖବର ଅନୁସାରେ, ତେଲେଙ୍ଗିର ପ୍ରକଳ୍ପ ନିମନ୍ତେ ରାଣୀଗଡସ୍ଥିତ ଗୁମ୍ମା ପାହାଡର କିଛି ଅଂଶକୁ ବିସ୍ଫୋରଣ କରାଯାଇଥିଲା । ୩ ଜେସିବି ନେଇ ୪ ଜଣ ଅପରେଟର ପଥର ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ ପାହାଡ ଧସିଯାଇ ଜେସିବି ଉପରେ ଖସିପଡିଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ଉଦ୍ଧାର କାମ ଆରମ୍ଭ କରିଛି ।