ଅଣସରପିଣ୍ଡିରେ ପ୍ରଭୁ ବିଜେଥିବା ସମୟରେ କି ପ୍ରକାର ନୀତି ସମ୍ପାଦନ କରାଯାଏ ଶ୍ରୀ ମନ୍ଦିରରେ?

47

କନକ ବ୍ୟୁରୋ : ଜ୍ୟେଷ୍ଠପୂର୍ଣ୍ଣମାରେ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟସ୍ନାନ କଲାପରେ ପ୍ରବଳ ଜ୍ୱରରେ ମହାପ୍ରଭୁ ଅଣସର ଘରେ ବିରାଜ କରନ୍ତି । ତେବେ ଏହି ଅଣସର ପିଣ୍ଡିରେ ଠାକୁରଙ୍କର ବିଶେଷ ନୀତି କରାଯାଇଥାଏ । ସ୍ନାନ ପୂର୍ଣ୍ଣମା ରାତିରେ ପହଣ୍ଡି ସରିବା ପରେ ପୂର୍ବରୁ ପଥରରେ ନିର୍ମାଣ କରାଯାଇଥିବା ସିଂହାସନ ଉପରେ ଚତୁର୍ଦ୍ଧାମୁରତିଙ୍କୁ ସେଠାରେ ବିଜେ କରାଯାଇଥାଏ । ଏହାର ୨ ଦିନ ପରେ ଆରମ୍ଭ ହୋଇଥାଏ ଗୁପ୍ତ ନୀତି ।

ଏହି ନୀତିରେ ପ୍ରଥମେ ଠାକୁରଙ୍କର ଓଦାବସ୍ତ୍ର କଢାଯାଇଥାଏ । ପରେ ଦଇତାପତି ସେବାୟତମାନେ ଆରମ୍ଭ କରିଦିଅନ୍ତି ଗୁପ୍ତ ସେବା । ପ୍ରବଳ ଜ୍ୱରରେ ଠାକୁରଙ୍କ ପାଖରେ ଅବଢା କି କୈାଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଇ ନଥାଏ । ଏହି ସମୟରେ ଶୁଖିଲା ଭୋଗ କେବଳ ଲାଗି କରାଯାଏ । ସମସ୍ତେ ଜାଣନ୍ତି ମହାପ୍ରଭୁ ପ୍ରତ୍ୟେକ ସମୟରେ କିଛି ପରିଧାନ କରନ୍ତୁ ବା ନ କରନ୍ତୁ କିନ୍ତୁ ତୁଳସୀ ପରିଧାନ କରନ୍ତି । କେବଳ ଏହି ଅଣସର ପିଣ୍ଡିରେ ଠାକୁରଙ୍କୁ ତୁଳସୀ ଲାଗି କରାଯାଇ ନଥାଏ ।

ପ୍ରଭୁଙ୍କର ଏହି ସେବା ସମ୍ପୂର୍ଣ୍ଣ ଭାବରେ ଅନ୍ଧାରରେ କରାଯାଏ । ଜ୍ୱର ସାଙ୍ଗରେ ଦେହରେ ଜନ୍ତ୍ରଣା ମଧ୍ୟ ଅନୂଭୁତ ହୁଏ । ତେଣୁ ଭଗବାନଙ୍କ ଦେହରେ ଫୁଲୁରୀ ତେଲ କୁ ମାଲିସ କରାଯାଏ ପୀଡା କମିବା ଲାଗି । ଏହି ସମୟରେ ଭଗବାନ କୈାଣସି ବେଶ ହୁଅନ୍ତି ନାହିଁ । ପ୍ରଭୁଙ୍କୁ ବସ୍ତ୍ରରେ ଘୋଡାଇ ରଖାଯାଏ । କେବଳ ଶୁଖିଲା ଭୋଗ ସମୟରେ ହିଁ ମୁହଁରୁ କପଡା କାଢିଦିଆଯାଏ । ସମସ୍ତେ ଜାଣନ୍ତି ଭଗବାନ ଜ୍ୱରରେ ଥାଆନ୍ତି ତେବେ ଏହି ସମୟରେ ପଟି ଦିଅଁଙ୍କୁ ଭକ୍ତ ମାନେ ଦର୍ଶନ କରନ୍ତି ।

ତେବେ କିମ୍ବଦନ୍ତି କହେ ଏହି ସମୟରେ ପ୍ରଭୁ ଜଗନ୍ନାଥ ଅଲାରନାଥ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ତେଣୁ ଅଲାରନାଥ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥାଆନ୍ତି । ଖଡିଲାଗି ଏକାଦଶୀରେ ପ୍ରଭୁଙ୍କୁ ଖଳି ଲାଗି କରାଯାଏ । ପୂର୍ବରୁ ଯେଉଁ ପଥର ଚକା ଉପରେ ଚତୁର୍ଦ୍ଧାମୁରତିଙ୍କୁ ବିଜେ କରାଯାଇଥାଏ । ସେଠାରୁ ଅପସରଣ କରି ଅସ୍ଥାୟୀ ସିଂହାସନକୁ ପହଣ୍ଡି କରାଯାଏ । ସେଠାରେ ବନକଲାଗି କରାଯାଇ ଶ୍ରୀମୁଖ ସୁଙ୍ଗାର କରାଯାଏ ।

ଏହାପରେ ନେତ୍ର ଅମାବାସ୍ୟାରେ ନେତ୍ରଦାନ ହେଇଥାଏ । ଦେହ ଭଲ ହେବାପରେ ସାଧାରଣ ଭାବରେ ସମସ୍ତଙ୍କୁ କୁଆଡେ ଟିକେ ବୁଲ୍ିବାକୁ ଇଚ୍ଛା ହୁଏ । ତେଣୁ ଭଗବାନ ମଧ୍ୟ ନିଜର ଜନ୍ମ ବେଦୀକୁ ନବଦିନ ବ୍ୟାପି ଯାତ୍ରା କରନ୍ତି ।

ଏହି ୧୫ ଦିନ ମଧ୍ୟରେ ପ୍ରଭୁଙ୍କର ଅନେକ ଗୁପ୍ତନୀତି ଦଇତାପତି ସେବାୟତମାନେ ସମ୍ପାଦନ କରନ୍ତି । ଅଣସର ସମୟରେ ଏକ ସ୍ୱତନ୍ତ୍ର ମୋଦକ ଠାକୁରଙ୍କୁ ସମର୍ପଣ କରାଯିବାର ବିଧି ମଧ୍ୟ ରହିଛି ।