ପୂରିଲା ମହାବାତ୍ୟାର ୧୮ ବର୍ଷ : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଉପକୂଳ ଅଂଚଳରେ ୧୨୨ ଅର୍ଲି ୱାଣ୍ଣିଂ ଟାୱାର

32

କନକ ବ୍ୟୁରୋ : ଆଜିକୁ ଠିକ୍ ୧୮ ବର୍ଷ ପୂର୍ବେ ଓଡ଼ିଶାକୁ ଦୋହଲାଇ ଦେଇଥିଲା ମହାବାତ୍ୟା । ଏହାକୁ ଦେଖିଥିବା ଲୋକେ ଆଜି ବି ଏହି କଥା ମନେ ପଡିଗଲେ ଶିହରୀ ଉଠନ୍ତି । ଏମିତି ଭୟଙ୍କର ଥିଲା ପ୍ରକୃତିର ତାଣ୍ଡବ । ଅକ୍ଟୋବର ୨୯, ୧୯୯୯ । ପ୍ରାକୃତିକ ଦୁର୍ବିପାକର ଏଭଳି ଚିତ୍ର କେବେ ଓଡିଶା ଦେଖିନଥିଲା । ପୂରା ଉପକୂଳକୁ ନିଶ୍ଚିହ୍ନ କରିଦେବା ଭଳି ସାଂଘାତିକ ବାତ୍ୟା ମାଡି ଆସିଲା । ୨୬୦ କିଲୋମିଟର ବେଗରେ ପବନ ବହିଲା, ୧୮ ଲକ୍ଷ ଘର ମାଟିରେ ମିଶିଗଲା । ୧୦ ହଜାର ଲୋକ ଅକାଳରେ ମୃତ୍ୟୁ ମୁଖକୁ ଠେଲି ହୋଇଗଲେ । କୋଟି କୋଟି ଟଙ୍କାର ସଂପତ୍ତି ଭସାଇ ନେଇଗଲା ସମୁଦ୍ର । ସେହି ଦିନର ଚିତ୍ର ମନେ ପଡିଲେ ଆଜି ବି ଭୟରେ ଶିହରୀ ଉଠେ ଉଡ଼ିଶା ।

ଏବେ ଚିତ୍ର ବଦଳିଯିବ । ବାତ୍ୟା ପୂର୍ବରୁ ଏହିଭଳି ସାଇରନ ବାଜିବ । ଏବଂ ଉପକୂଳର ଲୋକେ ସତର୍କ ହୋଇ ଉଠିବେ । କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ, ଗଂଜାମ, ବାଲେଶ୍ୱର ଓ ଭଦ୍ରକ ଆଦି ୬ଟି ଉପକୂଳ ଜିଲ୍ଲାରେ ଲାଗିଛି ଅର୍ଲି ୱାର୍ଣ୍ଣିଂ ଡିସେମିନେସନ୍ ସିଷ୍ଟମ । ବିପର୍ଯ୍ୟୟ ମୁକାବିଲା ଦିବସରେ ଏହାର ଡେମୋ ଦେଖାଇଛି ବିପର୍ଯ୍ୟୟ ପ୍ରଶମନ ବିଭାଗ । ବାତ୍ୟା କିମ୍ବା ବନ୍ୟା ଆସିବାର ଅଢେଇ ଘଂଟା ପୂର୍ବରୁ ଏହି ୬ଟି ଜିଲ୍ଲାର ୨୨ଟି ବ୍ଲକରେ ଏକକାଳୀନ ୧୨୨ଟି ସାଇରନ ବାଜି ଉଠିବ ।

କେମିତି କାର୍ଯ୍ୟ କରିବ ଅର୍ଲି ୱାର୍ଣ୍ଣିଂ ସିଷ୍ଟମ?
ଆଇଏମଡିର ସୂଚନା ଏବଂ ବନ୍ୟା ସଂପର୍କୀତ ସୂଚନା ଆସିବା ମାତ୍ରେ ଏହି ବ୍ୟବସ୍ଥା ଜରିଆରେ ଲୋକଙ୍କୁ ସତର୍କ କରାଯିବ । ଏହି ବ୍ୟବସ୍ଥାର କଂଟ୍ରୋଲ ରହିବ ଭୁବନେଶ୍ୱରର ଏସଆରସି ବା ସ୍ୱତନ୍ତ୍ର ରିଲିଫ କମିସନର କାର୍ଯ୍ୟାଳୟରେ । ପ୍ରତି ଅର୍ଲି ୱାର୍ଣ୍ଣିଂ ଡିସେମିନେସନ ସିଷ୍ଟମ ଅଢେଇ କିଲୋମିଟର ପର୍ଯ୍ୟନ୍ତ ସତର୍କ ସୂଚନା ପହଁଚାଇ ପାରିବ । ଉପକୂଳ ଜିଲ୍ଲାରେ ଲାଗିଥିବା ଏହି ବ୍ୟବସ୍ଥା ଏକାବେଳେ କାର୍ଯ୍ୟ କରିବ । ଫଳରେ ୪୮୫ କିଲୋମିଟର ବ୍ୟାପୀ ପୂରା ଉପକୂଳ ଅଂଚଳକୁ ସୂଚନା ଏକାଥରେ ମିଳିଯିବ । ଯଦି କୌଣସି ନିର୍ଦ୍ଦିଷ୍ଟ ବ୍ଳକ ପାଇଁ ସତର୍କ ସୂଚନା ଥାଏ, ତେବେ ଏହି ବ୍ଲକରେ ଥିବା ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ସୂଚନା ଦେବ ।