ଶିକ୍ଷା ଆଗରେ ହାର ମାନିଲା ବୟସ ! ୯୬ ବର୍ଷ ବୟସରେ ହାଇସ୍କୁଲ ଯାଉଛନ୍ତି ମହିଳା, ଅନ୍ୟ ପାଇଁ ସାଜିଲେ ଉଦାହରଣ

81

ଶିକ୍ଷା ଆଗରେ ହାର ମାନିଛି ବୟସ । କୌଣସି ବିଷୟରେ ଜାଣିବାକୁ ଇଚ୍ଛା ଥିଲେ ଏଥିରେ ବୟସ ବାଧା ସୃଷ୍ଟି କରିପାରେ ନାହିଁ ।ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ମେକ୍ସିକୋର ୯୬ ବର୍ଷିୟ ମହିଳା ଗ୍ୱାଡାଲୁପ ପାଲାସିଅସ । ଯେଉଁ ବୟସରେ ଆରାମ କରିବା କଥା ସେହି ବୟସରେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଯାଉଛନ୍ତି ସ୍କୁଲ । ଦୃଢ ଆତ୍ମବିଶ୍ୱାସ ହିିଁ ତାଙ୍କୁ ଆଗକୁ ବାଟ କଢାଇ ନେଇଛି । ୯୬ ବର୍ଷ ପରିଣତ ବୟସରେ ଚେହେରା ମଳିନ ପଡିଛି, କେଶ ଧଳା ହୋଇଯାଇଛି କିନ୍ତୁ ଗ୍ୱାଡାଲୁପଙ୍କ ମନୋବଳ ଉପରେ ବୟସର ଛାପ ପଡିନାହିଁ ।

ଚେହେରାରେ କୁଞ୍ଚ ପଡିଛି ସତ କିନ୍ତୁ ପାଠ ପଢିବା ପାଇଁ ତାଙ୍କ ଭିତରେ ଥିବା ଉତ୍ସାହ ଅନ୍ୟ ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ । ଏହାସହ, ୧୦୦ ତମ ଜନ୍ମଦିନ ପୂର୍ବରୁ ହାଇସ୍କୁଲ ପାଠପଢା ଶେଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏହା ତାଙ୍କ ଜୀବନର ସବୁଠାରୁ ବଡ ଇଚ୍ଛା ବୋଲି କହିଛନ୍ତି ଗ୍ୱାଡାଲୁପ ପାଲାସିଅସ । ଏକ ଗରିବ ଘରେ ଜନ୍ମ ନେଇଥିବା ଗ୍ୱାଡାଲୁପ ପାଲାସିଅସ ପରିବାରକୁ ସାହାର୍ଯ୍ୟ କରିବା ପାଇଁ କ୍ଷେତରେ କାମ କରୂୁଥିଲେ । ଯେଉଁଥିପାଇଁ ସେ ହାଇସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଥିଲେ । ଏସବୁ ଭିତରେ ସେ ଦୁଇଥର ବିବାହ କରିଥିଲେ । ତେଣୁ ସାଂସରିକ ଜୀବନରୁ ସମୟ କାଢି ପାଠ ପଢିବା ତାଙ୍କ ପାଇଁ ସମ୍ଭବପର ନଥିଲା ।

କିନ୍ତୁ ପରିଣତ ବୟସରେ ଯେତେବେଳେ ପାଠ ପଢିବା ପାଇଁ ସୁଯୋଗ ମିଳିଲା ତାହାକୁ ହାତଛଡା କରିବାକୁ ଚାହିଁଲେନି ଗ୍ୱାଡାଲୁପ ପାଲାସିଅସ । ନିଜ ଠାରୁ ୮୦ ବର୍ଷ ଛୋଟ ପିଲାଙ୍କ ସହ ମିଶି ପାଠ ପଢିବାକୁ ନିଷ୍ପତି ନେଲେ ଏବଂ ଏକ ରେଗୁଲାର ପବ୍ଲିକ ସ୍କୁଲରେ ଆଡମିଶନ କରିବା ସହ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆଗକୁ ପାଦ ବଢାଇଛନ୍ତି । ଏହାଛଡା ଅନ୍ୟ ପିଲାମାନଙ୍କ ଭଳି କଳା ରଙ୍ଗର ସ୍କଟ, ଧଳା ସାର୍ଟ ଓ ହଳିଦିଆ ରଙ୍ଗର ସ୍ୱେଟର ପିନ୍ଧି ପ୍ରଥମ ଦିନ ସ୍କୁଲ ଯାଇଥିଲେ ଗ୍ୱାଡାଲୁପ ପାଲାସିଅସ । ଛାତ୍ରଛାତ୍ରୀ ମାନେ ଗ୍ୱାଡାଲୁପ ପାଲାସିଅସଙ୍କୁ ସ୍କୁଲ ୟୁନିଫର୍ମରେ ଦେଖି ଆଶ୍ଚଯ୍ୟ ହୋଇଥିଲେ ।

ଗ୍ୱାଡାଲୁପ ପାଲାସିଅ ୯୨ ବର୍ଷ ବୟସରେ ପଢିବା ପାଇଁ ଚିନ୍ତା କରିଥିଲେ । ଏହାପରେ ସାକ୍ଷରତା କାର୍ଯ୍ୟକ୍ରମରେ ନାମ ଲେଖାଇଥିଲେ । ୨୦୧୫ରେ ପ୍ରାଥମିକ ସ୍କୁଲ କାର୍ଯ୍ୟକ୍ରମରେ ଆଡମିଶନ ନେଇଥିବା ଗ୍ୱାଡାଲୁପ ପାଲାସିଅସ ଚାରି ବର୍ଷରୁ କମ ସମୟ ମଧ୍ୟରେ ପ୍ରାଥମିକ ଓ ମାଧ୍ୟମିକ ପାଠ ପଢା ଶେଷ କରିଥିଲେ । ଏବେ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ସହ ନିଜ ଜୀବନର ଏକ ବଡ ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗ୍ୱାଡାଲୁପ ପାଲାସିଅସ ।