ସତ୍ୟସାଇ ବାବାଙ୍କ ଆଜି ୯୨ ତମ ଜନ୍ମ ଜୟନ୍ତୀ ! ଶ୍ରଦ୍ଧାସୁମନ ଅର୍ପଣ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ମନେପଡ଼ିଲା ଆଧ୍ୟାତ୍ମିକ ଗୁରୁଙ୍କ ଅଲୌକିକ କାହାଣୀ

285

କନକ ବ୍ୟୁରୋ : ଶୁନ୍ୟରୁ ସୃଷ୍ଟି ହୁଏ ବିଭୂତି । ହାତ ଘୁରାଇ ଆଣିଲେ ଲଡ଼ୁ, ସୁନା ଚେନ୍ଠାରୁ ଆରମ୍ଭ କରି ସୃଷ୍ଟି ହୁଏ ଅନେକ କିଛି ଉପହାର । ଭକ୍ତମାନେ ବିଶ୍ୱାସ କରନ୍ତି, ତାଙ୍କ ନିକଟରେ ରହିଛି ଶୂନ୍ୟରୁ ସାମଗ୍ରୀ ସୃଷ୍ଟି କରିବାର ଅଲୌକିକ ଶକ୍ତି । ସେହି ମହାନ ଅଧ୍ୟାତ୍ମିକ ଗୁରୁ ହେଉଛନ୍ତି ପୁଟ୍ଟପର୍ତିର ସତ୍ୟ ସାଇ ବାବା । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭଗବାନ । ୧୨୬ଟି ଦେଶରେ ରହିଛନ୍ତି ତାଙ୍କର ଅନୁଗାମୀ । ହିନ୍ଦୁ, ମୁସଲମାନ, ଶିଖ୍, ଈଶାଇ ସବୁ ଧର୍ମର ଅନେକ ଲୋକ ଏହି ନାଁଙ୍କୁ ନେଇଥାନ୍ତି ଅତି ଶ୍ରଦ୍ଧାରେ । ଧନି, ଦରିଦ୍ର, ସାଧାରଣ ଲୋକଙ୍କଠାରୁ ନାମୀଦାମୀ ଲୋକଙ୍କ ମୁଣ୍ଡ ନଇଁଯାଏ ଭାରତର ଏହି ଅଧ୍ୟାତ୍ମିକ ଗୁରୁଙ୍କ ନିକଟରେ ।

swami-inner-bliss-003ମାନବ ସେବା ହିଁ ମାଧବ ସେବାର ବାର୍ତା ଦେଉଥିବା ସତ୍ୟ ସାଇ ବାବାଙ୍କ ଅଲୌକିକ କାହାଣୀ ଆଜି ବି ଆନ୍ଦୋଳିତ କରିଥାଏ ଜନମାନସକୁ । ମାତ୍ର ୧୪ ବର୍ଷରେ ଘର ପରିବାର ଛାଡି ସେ ନିଜକୁ ଯେତେବେଳେ ସିରିଡି ସାଇଙ୍କ ଅବତାର ଭାବେ ଘୋଷଣା କରନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ମାତ୍ର ସମୟ ବଢିଚାଲିବା ସହ ବଢିଚାଲେ ତାଙ୍କର ଅଲୌକିକ ଅଭିଯାନ । ବାପା ମାଆ ଦେଇଥିବା ସତ୍ୟ ନାରାୟଣ ରାଜୁଙ୍କ ପରିଚୟ ପାଲଟିଯାଏ ସତ୍ୟ ସାଇ ବାବା । ତାଙ୍କର ଛୋଟିଆ ଭଜନ ଦଳ ବଦଳିଯାଏ ଲକ୍ଷ ଲକ୍ଷ ଲୋକଙ୍କ ସାଇ ପରିବାର । ଆନ୍ଧ୍ରପ୍ରଦେଶର ପାହାଡିଆ ଗାଁ ପୁଟପର୍ତି ପାଲଟି ଯାଏ ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ ।

କ’ଣ ପାଇଁ ସତ୍ୟସାଇ ବାବାଙ୍କ ପ୍ରତି ଦେଶ ବିଦେଶର ଏତେ ଲୋକଙ୍କ ଆକର୍ଷଣ? ଏତେ ଭକ୍ତ, ଏତେ ଅନୁଗାମୀ? ମାନବ ସେବା ପାଇଁ ସତ୍ୟସାଇ ବାବାଙ୍କ ବାର୍ତା, ସ୍ୱାସ୍ଥ୍ୟ ସେବା ପାଇଁ ମାଗଣା ହସପିଟାଲ, ମାଗଣା ଶିକ୍ଷା ପାଇଁ ସ୍କୁଲ, କଲେଜ୍, ୟୁନିଭରସିଟି ଏବଂ ପାନୀୟ ଜଳ ଠାରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନେବା ପରେ ବ୍ୟାପିଥିଲା ସତ୍ୟସାଇ ବାବାଙ୍କ ଖ୍ୟାତି । ଏବଂ ତାଙ୍କ ଅଲୌକିକତାର ପ୍ରଚାର ବ୍ୟାପକ ହେବା ପରେ ତାଙ୍କ ପ୍ରତି ଆକର୍ଷତ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ଶ୍ରଦ୍ଧାଳୁଙ୍କୁ ଶୁନ୍ୟରୁ ବିଭୂତି ଦେଉଥିଲେ ସତ୍ୟ ସାଇବାବା । ହାତ ଘୁରାଇ ପବନ ଭିତରୁ ସୃଷ୍ଟି କରୁଥିଲେ ଭକ୍ତଙ୍କ ପାଇଁ ସୁନା ଚେନ୍ । ଏଥିପାଇଁ ଅନେକ ବିବାଦରେ ମଧ୍ୟ ସେ ଛନ୍ଦି ହୋଇଛନ୍ତି । ହେଲେ ଅନୁଗାମୀଙ୍କର ତାଙ୍କ ପ୍ରତି ଶ୍ରଦ୍ଧା କମ ହୋଇନାହିଁ । ଏହି ତାଲିକା ଅନୁଗାମୀ ତାଲିକାରେ ରହିଛନ୍ତି ଦେଶ ଓ ବିଦେଶର ବଡ଼ ବଡ଼ ରାଜନେତା । ଅଟଳ ବିହାରୀ ବାଜପାୟୀ ହୁଅନ୍ତୁ କି ନରେନ୍ଦ୍ର ମୋଦି ହୁଅନ୍ତୁ ବାବାଙ୍କ ସାନିଧ୍ୟ ପାଇବା ପାଇଁ ପୁଟପର୍ତିର ପ୍ରଶାନ୍ତ ନିଲୟମଙ୍କୁ ଯାଇଛନ୍ତି । ଗାଭାସ୍କରଠାରୁ ତେନ୍ଦୁଲକର ପର୍ଯ୍ୟନ୍ତ ସମସ୍ତେ ପାଇଛନ୍ତି ସାଇବାବାଙ୍କ ଆର୍ଶୀବାଦ ।

Sathya-Sai-Baba୨୦୧୧ ମସିହାରେ ସାଇବାବାଙ୍କର ଦେହାନ୍ତ ହୋଇଥିଲା । ସେତେବେଳକୁ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଥିଲା ୫କୋଟି । ସତ୍ୟସାଇ ଦେହାନ୍ତ ସମୟରେ ବାବାଙ୍କ ପ୍ରକୋଷ୍ଠରୁ ପାଖାପାଖି ୯୮ କେଜିର ସୁନାଗହଣା ମିଳିଥିଲା । ଯାହାର ମୁଲ୍ୟ ୨୧ କୋଟି । ୩୦୭ କେଜିର ରୁପା ଗହଣା, ଯାହାର ମୁଲ୍ୟ ୧ କୋଟି ୬ ଲକ୍ଷ ଟଙ୍କା । ଏବଂ ୧୧ କୋଟି ୬୦ ଲକ୍ଷ ନଗଦ ଟଙ୍କା ମିଳିଥିଲା । ଆଜି ପୁଟ୍ଟପତୀ ଓ ବାଙ୍ଗାଲୋରରେ ଥିବା ସାଇବାବାଙ୍କ ବିରାଟ ହସ୍ପିଟାଲ ସାଧାରଣ ଗରିବ ଲୋକଙ୍କୁ ମାଗଣାରେ ଦୁରାରୋଗ୍ୟ ରୋଗର ଚିକିତ୍ସା କରୁଛି । ଅନୁଗାମୀମାନେ ବିଶ୍ୱାସ କରନ୍ତି ପୁଣି ବାବା ଅବତାର ନେବେ । ଆଉ ଏକଥା ମଧ୍ୟ ଆଲୋଚନା ଚାଲେ ଯେ ଆଗାମୀ ଦିନରେ କର୍ଣ୍ଣାଟକରେ ବାବା ପ୍ରେମସାଇ ନାମରେ ଜନ୍ମ ନେବାକୁ ଯାଉଛନ୍ତି ।୨୦୧୧ରେ ତାଙ୍କର ମହାପରାୟଣ ଯାତ୍ରାରେ ଯେପରି ଜନସମୁଦ୍ର ସୃଷ୍ଟି ହୋଇଥିଲା ଏବଂ ଆଖିରେ ଆଖିଏ ଲୁହ ଧରି ତାଙ୍କର ଶେଷ ଦର୍ଶନ କରିଥିଲେ ଅଗଣିତ ଜନତା, ତାହା ଆଜି ବି ସ୍ମରଣୀୟ ହୋଇ ରହିଛି ।