ମାତ୍ର ୯୦ ସେକେଣ୍ଡରେ ସଫଳ ହୋଇଥିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ । ଜାଣନ୍ତୁ କେମିତି ଶତ୍ରୁ ଦେଶରେ ଦମ୍ ଦେଖାଇ ଫେରିଥିଲା ଭାରତୀୟ ବାୟୁସେନା ।

702

କନକ ବ୍ୟୁରୋ : ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣର ବଦଲା ନେବା ପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ପାକିସ୍ତାନ ସୀମା ମଧ୍ୟରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।

ଆଉ ଏହି ପୂରା ମିଶନକୁ ଏତେ ଗୋପନୀୟ କରି ରଖା ଯାଇଥିଲା ଯେ ଏହି ମିଶନରେ ଅଂଶଗ୍ରହଣ କରିଥିବା ପାଇଲଟମାନଙ୍କ ପତ୍ନୀ କିମ୍ବା ସେମାନଙ୍କ ପରିବାରର ନିକଟତମ ସଂପର୍କୀୟମାନେ ସୁଦ୍ଧା ଏହାର ସାମାନ୍ୟତମ ଟେର୍ ସୁଦ୍ଧା ପାଇ ପାରି ନଥିଲେ । ପରଦିନ ସକାଳୁ ଏଇ ଖବର ପ୍ରସାରିତ ହେବା ପରେ ଏହି ଅପରେସନରେ ଅଂଶଗ୍ରହଣ କରିଥିବା ପାଇଲଟମାନଙ୍କୁ ସେମାନଙ୍କ ପତ୍ନୀମାନେ ଫୋନ୍ କରି ସେମାନେ ଏହି ମିଶନର ଅଂଶୀଦାର ଥିଲେ କି ନାହିଁ ବୋଲି ପଚାରିଥିଲେ ।

ଏକଥା ଆଉ କେହି ନୁହେଁ ବରଂ ସେଦିନ ଏହି ମିଶନରେ ଅଂଶଗ୍ରହଣ କରିଥିବା ଭାରତୀୟ ବାୟୁସେନାର ଦୁଇ ଜଣ ଲଢ଼ୁଆ ବିମାନ ପାଇଲଟ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଜାତୀୟ ସ୍ତରର ପ୍ରତିଷ୍ଠିତ ସମ୍ବାଦପତ୍ର ‘ହିନ୍ଦୁସ୍ତାନ ଟାଇମସ୍’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ସେଦିନର ଅପରେସନ୍ ସଂପର୍କରେ ସୂଚନା ଦେବାକୁ ଯାଇ ଏହି ଦୁଇ ପାଇଲଟ କହିଛନ୍ତି ଯେ ୨୬ ଫେବ୍ରୁଆରିରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏହି ଅପରେସନ୍ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଏହାକୁ ଅତ୍ୟନ୍ତ ଗୋପନୀୟ କରି ରଖା ଯାଇଥିଲା । ଅପରେସନର ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ସଂପର୍କରେ କାହାରି ନିକଟରେ କୌଣସି ପ୍ରକାରର ସାମାନ୍ୟତମ ସୂଚନା ସୁଦ୍ଧା ନଥିଲା ।

୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’। ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

ପରେ ଠିକ୍ ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନକୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।