ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : କାଜୁ ବଗିଚାରୁ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର

28

କନକ ବ୍ୟୁରୋ : ଜଗତସିଂହପୁରରେ ଚାଂଚଲ୍ୟ । ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା । ଘଟଣା ଘଟିଛି ଗଡହରିଶ ପୁରରେ । ଗତରାତିରେ ଏହି ଘଟଣା ଘଟିଛି । ସଂପୃକ୍ତ ନାବାଳିକାର କ୍ଷତବିକ୍ଷତ ମୃତଦେହ କାଜୁ ବଗିଚାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପଂହଚି ଅନୁସନ୍ଧାନ ଆରମ୍ଭ କରିଛି । ଆନ୍ଦୋଳନକାରୀମାନେ ହତ୍ୟାକାରୀକୁ ଧରିବାକୁ ଜିଦ୍ ଧରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗଡହରିଶ ଗାଁର ଜଣେ ୯ ବର୍ଷ ନାବାଳିକା ଅପରାହ୍ଣ ୪ଟା ପରଠାରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଆଜି ସକାଳୁ କେତେକ ଲୋକ ଶୌଚ ହେବା ପାଇଁ କାଜୁ ବଗିଚା ଭିତରକୁ ଯାଇଥିବା ବେଳେ ସେଠାରେ ନାବାଳିକାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିଥିଲେ । ପରେ ଏ କଥା ଗାଁରେ ପ୍ରଘଟ ହୋଇଯିବାରୁ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାରିପାଶ୍ୱିକ ପରିସ୍ଥିତିକୁ ଲକ୍ଷ୍ୟ କରି ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି । କୌଣସି ଦୁର୍ବୃତ୍ତ ନାବାଳିକାଙ୍କୁ ପ୍ରଲୋଭିତ କରି ଅପହରଣ କରି ନେଇ ଏହି କୁକର୍ମ କରିଛି ବୋଲି ଲୋକେ ସନ୍ଦେହ କରୁଛନ୍ତି । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।