୯ ହଜାର ମୋବାଇଲ ଆପ୍, ଯାହା ଅଜାଣତରେ ଆପଣଙ୍କ କାର୍ଯ୍ୟକଳାପ ଉପରେ ରଖିଥାଏ ନଜର ! ସାବଧାନ ରୁହନ୍ତୁ ନହେଲେ ହୋଇପାରେ ବଡ କ୍ଷତି ।

51

ଅନେକ ଚର୍ଚ୍ଚିତ ସ୍ମାର୍ଟଫୋନ ଆପଣଙ୍କ ବିନା ଅନୁମତିରେ ମୋବାଇଲରେ ଆପଣଙ୍କ ସମସ୍ତ କାର୍ଯ୍ୟକଳାପର ସ୍କ୍ରିନ୍ ସଟ୍ ଏବଂ ଭିଡିଓ ପ୍ରସ୍ତୁତ କରି ଅନ୍ୟ କମ୍ପାନୀ ମାନଙ୍କୁ ପଠାଇ ଥାଇପାରନ୍ତି । ଆମେରିକାର ନର୍ଥ ଇଷ୍ଟର୍ଣ୍ଣ ୟୁନିଭରସିଟି ନିଜ ଅଧ୍ୟୟନରୁ ଏହାକୁ ନେଇ ଦାବି କରିଛି । ଏହି ସ୍କ୍ରିନ୍ ସଟ୍ ଏବଂ ଭିଡିଓରେ ଆପଣଙ୍କ ବ୍ୟବହୃତ ନାମ, ପାସୱାର୍ଡ, କ୍ରେଡିଟ୍ କାର୍ଡ ନମ୍ବର ସମେତ ଅନେକ ମହତ୍ୱପୂର୍ଣ୍ଣ ସୂଚନା ରହିଥାଇପାରେ । ଆପଣଙ୍କ ବିନା ଅନୁମତିରେ ଏହି ସୂଚନା ହାସଲ କରିବା ବେଆଇନ ହୋଇଥିବା ବେଳେ ଏହା ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

ପୂର୍ବରୁ ମଧ୍ୟ ଆଶଙ୍କା କରାଯାଉଥିଲା ଯେ, ମୋବାଇଲ ଗୁପ୍ତ ଭାବରେ ବ୍ୟାବହାରକାରୀଙ୍କ ଚାଟ୍ ରେକର୍ଡ କରିଥାଏ । ଏହି ଜରିଆରେ ଆପଣଙ୍କ ବିଷୟରେ କିଛି ତଥ୍ୟ ସେହି କମ୍ପାନୀମାନଙ୍କୁ ବିକ୍ରି କରାଯାଇଥାଏ, ଯେଉଁମାନେ ଏହାକୁ ବ୍ୟବହାର କରି ନିଜର ବିଜ୍ଞାପନକୁ ଲୋକମାନଙ୍କ ପାଖରେ ପହଞ୍ଚାଇଥାନ୍ତି । ଏହାର ଯାଞ୍ଚ କରିବା ପାଇଁ ଏନଇୟୁର ବିଶେଷଜ୍ଞମାନେ ଏକ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ୧୭ ହଜାର ଆଣ୍ଡ୍ରଏଡ୍ ଫୋନ ଆପର ବିଶ୍ଳେଷଣ କରାଯାଇଥିଲା । ଆଉ ଏଥିରେ ୯ ହଜାର ଆପରେ ସ୍କ୍ରିନ୍ ସଟ୍ ନେବାର କ୍ଷମତା ଥିବା ଜଣାପଡିଥିଲା । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଆଣ୍ଡ୍ରଏଡ ସହ ଅନ୍ୟ ଅପରେଟିଙ୍ଗ ସିଷ୍ଟମ ଆପରେ ମଧ୍ୟ ଏହି କ୍ଷମତା ରହିଥାଇପାରେ । ଏମିତି କିଛି ଆପ ରହିଛି ଯାହା ଆପଣଙ୍କ ପାସୱାର୍ଡର ସ୍କ୍ରିନ ସଟ୍ ମଧ୍ୟ ନେଇଥାଏ । କେତେକ ଲୋକଙ୍କୁ ହୁଏତ ଏହା ସାଧାରଣ ଲାଗୁଥିବ କିନ୍ତୁ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ ।