୯ଟି ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁରୀ ! ବିପିୟୁଟିରୁ ପ୍ରୋ-ଚାନ୍ସଲର ପଦବୀ ହଟାଇବା ସହ, ଆଦିବାସୀଙ୍କ ବିକାଶ ନେଇ କ୍ୟାବିନେଟରେ ନିଷ୍ପତି ।

37
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ୱ ଓ ପରିଚାଳନା ବିଭାଗ, ଏବଂ ସାଧାରଣ ପ୍ରଶାସନ ବିଭାଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମଂଜୁରୀ ମିଳିଛି । କୋରାପୁଟରେ ମେଗା ପାନୀୟ ଜଳପ୍ରକଳ୍ପକୁ ମିଳିଛି ରାଜ୍ୟ କ୍ୟାବିନେଟର ମଂଜୁରୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ । ବୋରିଗୁମା, କୋଟପାଡ଼ ଓ ଜୟପୁର ବ୍ଲକର ମୋଟ ୨୬୮ଟି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ପାଇଁ ୩୧୬ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯିବା ସହ ୨୪ ମାସ ଭିତରେ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପ୍ରୋ-ଚାନ୍ସଲର ପଦବୀ ଉଚ୍ଛେଦ ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି ।
ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଦଶପଲ୍ଲା-ବଲାଙ୍ଗୀର ପର୍ଯ୍ୟନ୍ତ ରେଳପଥ ପାଇଁ ବିନାମୂଲ୍ୟରେ ୮୮୧ ଏକର ଜମିକୁ ରେଳ ମନ୍ତ୍ରାଳୟକୁ ହସ୍ତାନ୍ତର କରିବାକୁ ନିଷ୍ପତି ନେଇଛି କ୍ୟାବିନେଟ୍ । ଏହାସହ  ସମ୍ବଲପୁର ଆଇଆଇଏମ୍ ପାଇଁ ୧୮୧ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ରାଜକୋଷରୁ ଆନୁସଂଗିକ ଦେୟ ୨କୋଟି ୩୫ଲକ୍ଷ ୧୯ ହଜାର ଟଙ୍କା ଏବଂ ଗ୍ରାଉଣ୍ଡ ରେଣ୍ଟ ବାବଦରେ ମୋଟ ୩ ଲକ୍ଷ ୪୨ ହଜାର ଟଙ୍କାର କ୍ଷତି ରାଜ୍ୟସରକାରଙ୍କ ଉପରେ ପଡିବ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଟାଟା ଷ୍ଟିଲ ଦ୍ୱାରା ପ୍ଲାଣ୍ଟ ସ୍ଥାପନ ପାଇଁ ଭାଗବଣ୍ଟା କରିଛନ୍ତି ରାଜ୍ୟସରକାର । ଏହି ପ୍ଲାଣ୍ଟ  ପ୍ରତିଷ୍ଠା ନିମନ୍ତେ ଇଡକୋକୁ ହସ୍ତାନ୍ତର କରାଯାଇଥିବା ୨୯୭୦ ଏକର ଜମି ମଧ୍ୟରୁ ୧୭୩୫ ଏକର ଜମିକୁ ଘରୋଇ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବହାର କରିବାକୁ ନିଷ୍ପତି ହୋଇଥିବାବେଳେ ୧୨୩୫ ଏକର ଜମିକୁ ସିଇଜି କରାଯିବ ବୋଲି କ୍ୟାବିନେଟର ମୋହର ।
ଆଦିବାସୀମାନଙ୍କର ଶିକ୍ଷା, ସଂସ୍କୃତି ଓ ସାମାଜିକ ବିକାଶ ପାଇଁ ଆଦିମ ଓଆର ଜରପା ଅନୁଷ୍ଠାନକୁ  ଚନ୍ଦ୍ରଶେଖରପୁର ମୌଜାରେ ଜମି ପ୍ରଦାନ କରିଥିବାବେଳେ ଓଡିଶା ଅଧସ୍ତନ ଅର୍ଥସେବା ନିଯୁକ୍ତି ଓ ସେବା ସର୍ତ୍ତ ନିୟମ , ୧୯୮୮ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏହିଭଳି ମୋଟ ମୋଟ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଛି ରାଜ୍ୟ କ୍ୟାବିନେଟର ମୋହର ।