ବିବାଦୀୟ ଜମି ପାଇଁ ରକ୍ତରଞ୍ଜିତ ହେଲା ପୂରା ଗାଁ । ଗ୍ରାମ ପ୍ରଧାନ ସର୍ମଥକଙ୍କ ଗୁଳିରେ ଲିଭିଗଲା ୯ ଗ୍ରାମବାସୀଙ୍କ ଜୀବନଦୀପ, ୨୫ରୁ ଅଧିକ ଗୁରୁତର ଆହତ ।

300

ଜମି ପାଇଁ ଗଲା ୯ ଜୀବନ । ଉତ୍ତରପ୍ରଦେଶର ସୋନଭଦ୍ରରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଜମି ବିବାଦକୁ ନେଇ ରକ୍ତରଞ୍ଜିତ ହୋଇଛି ସୋନଭଦ୍ରର ଅଭାଭି ଗାଁ । ଗ୍ରାମର ପ୍ରଧାନ ଗୋଷ୍ଠୀ ଓ ଗ୍ରାମର ଅନ୍ୟ ପକ୍ଷ ମଧ୍ୟରେ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଅଭାଭି ଗାଁରେ ଗ୍ରାମ ପ୍ରଧାନ ୨ ବର୍ଷ ପୂର୍ବେ ଜମି କିଣିଥିଲେ । ଆଉ ଏହି ଜମିକୁ ନେଇ ଗ୍ରାମବାସୀଙ୍କ ସହ ବିବାଦ ଲାଗି ରହିଥିଲା । ପୂର୍ବରୁ ଜମିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଗ୍ରାମ ପ୍ରଧାନ ପାଖାପାଖି ୧୦୦ରୁ ଉଦ୍ଧ୍ୱର୍ ଲୋକ ଧରି ଜମି କବଜା କରିବାକୁ ଆସିଥିଲେ । ଯାହାକୁ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ । ତେବେ କୌଣସି ଆଲୋଚନା ନ କରି ଗ୍ରାମ ପ୍ରଧାନଙ୍କ ସମର୍ଥକ ଗ୍ରାମବାସୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏପରିକି ଗ୍ରାମବାସୀଙ୍କୁ ଗୋଡାଇ ଗୋଡାଇ ପିଟିବାକୁ ପଛାଇ ନଥିଲେ । ଆଉ ଚାହୁଁ ଚାହୁଁ ଗାଁ ଦାଣ୍ଡକୁ ରକ୍ତରଞ୍ଚିତ କରି ଦେଇଥିଲେ ଗ୍ରାମ ପ୍ରଧାନଙ୍କ ସମର୍ଥକ । ଆଉ ଏହି ଗୋଷ୍ଠୀ ସଂର୍ଘଷରେ ଆଖି ଆଗରେ ୯ ଜଣଙ୍କର ଜୀବନ ଦୀପ ଲିଭି ଯାଇଥିବା ବେଳେ ୨୫ ଜଣ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

ଖବର ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପୂରା ଗାଁକୁ ପୋଲିସ ମୁତୟନ କରାଯାଇଛି । ଏଭଳି ଘଟଣା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲା ଉପରେ ନଜର ରଖିଥିବା ବେଳେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାଛଡା ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲ ସହାୟତା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ।