ମହାନଦୀରେ ଡଙ୍ଗାବୁଡି ୯ ମୃତ, ଜଣେ ଏବେବି ନିଖୋଜ ! ଚାଲିଛି ଉଦ୍ଧାରକାର୍ଯ୍ୟ, ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

198

କନକ ବ୍ୟୁରୋ : ପିକନିକ୍ ହେଲା କାଳ । ନୂଆବର୍ଷ ଆରମ୍ଭରୁ କେନ୍ଦ୍ରାପଡାରେ ଅଘଟଣା । ମହାନଦୀରେ ଗତକାଲି ଘଟିଥିଲା ସେହି ମର୍ମନ୍ତୁଦ ଦୁର୍ଘଟଣା । ବଣଭୋଜି ସାରି ଫେରୁଥିବା ବେଳେ ବୁଡି ଯାଇଥିଲା ଡଙ୍ଗା । ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ୯ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ଶିଶୁ ,୨ ଜଣ ମହିଳା ଲୋକ ଅନ୍ତର୍ଭୁକ୍ତ। କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ନୂଆବର୍ଷର ବଣଭୋଜି ସାରି କୁଜଙ୍ଗ ଅଭିମୁଖେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ ‘ଶକ୍ତିମୟୀ ମା’ ମଙ୍ଗଳା’ ନାମକ ବୋଟରେ ଚଉମୁହାଣି ଅଭିମୁଖେ ବାହାରିଥିଲେ। ଡଙ୍ଗାଟି ମହାନଦୀର ଶାଖା ବତିଘର ନଦୀ ବାଟେ ଫେରୁଥିବା ବେଳେ ଏକ ବାଲିକୁଦରେ ଧକ୍କା ଲାଗିଥିଲା । ଫଳରେ, ପ୍ରାୟ ୪୮ ଜଣ ଡଙ୍ଗାର ଗୋଟିଏ ପାଖରେ ରହିଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଅନ୍ୟଜଣେ ଯାତ୍ରୀଙ୍କ କହିବା ଅନୁସାରେ ଉକ୍ତ ଡଙ୍ଗାରେ ୫୦ରୁ ୫୫ ଜଣ ଚଢ଼ିବାରୁ ଡଙ୍ଗା ଟଳମଳ ହୋଇଥିଲା। ବୋଟ ଚାଳକଙ୍କ ଅନୁରୋଧ ପରେ ୮ରୁ ୧୦ ଜଣ ଓହ୍ଲାଇ ପଡ଼ିଥିଲେ। ତେବେ ଡଙ୍ଗା ଛାଡ଼ିବା ପୂର୍ବରୁ ଜଣେ ତରତରରେ ଉପରକୁ ଡେଇଁ ପଡ଼ିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏକପାଖିଆ ହୋଇ ଡଙ୍ଗା ବୁଡ଼ିଯିବାରୁ ଅଧିକ ପାଣି ଥିବା ପାର୍ଶ୍ବରେ ମହିଳା ଓ ଶିଶୁମାନେ ବୁଡ଼ି ଯାଇଥିଲେ। ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଦ୍ବୟ ହେଲେ, ପ୍ରଭାତୀ ସ୍ବାଇଁ ଓ ଅନୁ ତରାଇ। ୫ ଜଣ ଶିଶୁଙ୍କ ବୟସ ୮ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

ତେବେ, ରାତି ୮ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ମୃତଦେହ ଉଦ୍ଧାର ପାଇଁ ଢେର୍ କିଛି ସମୟ ଲାଗିଥିଲା। ପ୍ରବଳ ଶୀତ ଓ ଅନ୍ଧାର ଭିତରେ ସାହାଯ୍ୟ ଓ ଉଦ୍ଧାର କାମରେ ସମସ୍ୟା ଦେଖା ଦେଇଥିଲା। ଫଳରେ, ସମସ୍ତ ମୃତଦେହ ଉଦ୍ଧାର କରିବାକୁ ବେଳକୁ ରାତି ପ୍ରାୟ ଗୋଟାଏ ହୋଇଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଓଡ୍ରାଫ୍ ଟିମ୍ ଓ ବନବିଭାଗ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।

ଅନ୍ୟପକ୍ଷରେ, ପାଣିରେ ବୁଡ଼ିଥିବା ଲୋକଙ୍କୁ ଉଦ୍ଧାର କରି କୂଳକୁ ଅଣାଯାଇଥିଲେ ହେଁ ଅଧିକା˚ଶ ଜାଡ଼ରେ ଥରୁଥିଲେ। ଗୁରୁତର ଅବସ୍ଥାରେ ଥିବା ଲୋକମାନଙ୍କୁ ନିଆଁ ଜଳାଇ ସେକ ଦିଆଯାଉଥିବା ଦେଖିବାକୁ ମିଳିଥିଲା।

ତେବେ ସବୁଠାରୁ ବଡ କଥା ହେଉଛି, ଏପର୍ଯ୍ୟନ୍ତ ଆହୁରି ଜଣେ ମହିଳା ନିଖୋଜ ଅଛନ୍ତି । ଶୁଭଶ୍ରୀ ସ୍ୱାଇଁ ନାମକ ଜଣେ ମହିଳା ଏବେବି ନିଖୋଜ ଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସେପଟେ ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।