ବିଜେଡିର ହରତାଳ ନାଁରେ ଗୁଣ୍ଡାରାଜ ଘଟଣା ! ୯ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୁଲିସ

18

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ହରତାଳ ବେଳେ ଗୁଣ୍ଡାରାଜ କରିଥିବା ଘଟଣାରେ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଚନ୍ଦ୍ରଶେଖରପୁରରୁ ୬ ଜଣ ଓ ସହିଦ ନଗରରରୁ ୩ ଜଣଙ୍କୁ ଗିରଫ କରାଯାଇଛି । ହରତାଳ ନାଁରେ ଆଇନକୁ ହାତକୁ ନେଇଥିବାରୁ କମିଶନରେଟ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଅନ୍ୟପଟେ, ଗତକାଲି ମଧ୍ୟ ୩ଜଣକୁ ଗିରଫ କରିଥିଲା ଖଣ୍ଡଗିରି ପୁଲିସ । ହରତାଳ ଏବଂ ଆନ୍ଦୋଳନ ଆଳରେ ସ୍କୁଟିରେ ଆସୁଥିବା ଏକୁଟିଆ ଝିଅକୁ ଅପମାନିତ କରିଥିବା ୩ ଜଣ ଯୁବକକୁ ଗତକାଲି ଗିରଫ କରିଛି ଖଣ୍ଡଗିରି ପୁଲିସ । ଆଉ ଗିରଫ ଏହି ୩ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ବିଜେଡିର ୫ଘଂଟିଆ ହରତାଳ ବେଳେ ଭୁବନେଶ୍ୱର ଡେଲଟା ଛକରେ ଘଟିଥିଲା ଏହି ଅଭାବନୀୟ ଘଟଣା । ହରତାଳ ସମୟରେ ଯେତେବେଳେ ଯୁବତୀ ଜଣକ ସ୍କୁଟି ନେଇ ବାହାରକୁ ଆସୁଥିଲେ, ଠିକ୍ ସେତିକି ବେଳେ ଘେରି ଯାଇଥିଲେ ବିଜେଡି କର୍ମୀ ।

ସଙ୍ଗବଦ୍ଧ ଭାବରେ ଯୁବକମାନେ ଯୁବତୀଙ୍କୁ ଘେରିଯିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଆଉ ଏହି ପୁରା ଘଟଣା ଭିତରେ ସ୍କୁଟିକୁ ଆକ୍ରମଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଗିରଫ ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ଆଉ ଏମାନଙ୍କ ନାଁରେ ୧୪୩, ୧୪୭, ୧୪୯ ଏବଂ ୩୨୩ ଭଳି ଦଫା ସବୁ ଲଗାଇଛି ପୁଲିସ ।

ସୂଚନା ମୁତାବକ, ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ୫ ଘଣ୍ଟିଆ ହକଚତାଳ ଡାକରା ଦେଇଥିଲା । ଏହି ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ଆମ୍ବୁଲାନସକୁ ରୋକାଯାଇଥିବାବେଳେ ରୋଗୀଙ୍କୁ ହସପିଟାଲକୁ ଯିବାକୁ ଦିଆଯାଇନଥିଲା । ଏପରିକି ଅନେକ ଗାଡିକୁ ଅଟଳାଇ ଭଙ୍ଗାରୁଜା ବି କରିଥିଲେ ଆନ୍ଦୋଳନକାରୀ ।