ଆଉ ଟ୍ରେନରେ ଅସୁବିଧାର ସମ୍ମୁଖୀନ ହେବେନି ରୋଗୀ ଓ ଗର୍ଭବତୀ ମହିଳା । ଟ୍ରେନରେ ରହିବ ୮୮ଟି ଜୀବନରକ୍ଷାକାରୀ ଔଷଧ

44

ଆଉ ରୋଗୀଙ୍କୁ ଟ୍ରେନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏଣିକି ସବୁ ଟ୍ରେନଗୁଡ଼ିକରେ ଓ ଷ୍ଟେସନ ଗୁଡ଼ିକରେ ୮୮ଟି ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ, ଇଂଜେକ୍ସନ ଓ ଉପକରଣ ରହିବ । ଏବେ ଏହି ବ୍ୟବସ୍ଥା କେବଳ କେତେକ ନିର୍ଦ୍ଦିଷ୍ଟ ଦୂରଗାମୀ ଟ୍ରେନ ଓ କେତେକ ପ୍ରମୁଖ ଷ୍ଟେସନରେ ଉପଲବ୍ଧ ଅଛି । ଏହି ବ୍ୟବସ୍ଥା ଲାଗୁ ହେଲା ପରେ ଅସୁସ୍ଥ ଯାତ୍ରୀ, ଗର୍ଭବତୀ ମହିଳା ଓ ଦୁର୍ଘଟଣାଗସ୍ତ ଯାତ୍ରୀମାନେ ଉପକୃତ ହେବେ । ଏହି ୮୮ଟି ଉପକରଣ ଓ ଔଷଧ ମଧ୍ୟରେ ରହିଛି ଡେଲିଭରୀ କିଟ୍, ଅକ୍ସିଜେନ ସିଲିଣ୍ଡର, ବିଭିନ୍ନ ଅତ୍ୟାବଶ୍ୟକ ଔଷଧ, ଇଂଜେକ୍ସନ, ଅଏଣ୍ଟମେଣ୍ଟ, ବ୍ୟାଣ୍ଡେଜ୍ , ଅକ୍ସିଜେନ ଡିଫିବ୍ରିଲେଟର ଇତ୍ୟାଦି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏଥିଲାଗି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥମାମଲା ରୁଜ୍ଜୁ ହୋଇଥିଲା । ଟ୍ରେନରେ କିପରି ଯାତ୍ରୀମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇଦିଆଯାଇପାରିବ, ତାହାର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟିରେ ଏମ୍ସର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ଥିଲେ । ଏହି କମିଟି ପକ୍ଷରୁ ଦିଆଯାଇଥିବା ତାଲିକା ଅନୁସାରେ ଏସବୁ ସାମଗ୍ରୀ ଚୂଡାନ୍ତ କରାଯାଇଛି । ଏହା ଛଡ଼ା ପ୍ରତି ଷ୍ଟେସନରେ ଷ୍ଟ୍ରେଚର ରହିବ, ଯଦ୍ୱାରା କି ଆବଶ୍ୟକ ପଡିଲେ ରୋଗୀମାନଙ୍କୁ ସହଜରେ ନେବା ଆଣିବା କରିହେବ । ଆହୁରି ମଧ୍ୟ ଟ୍ରେନରେ ଯାତ୍ରା କରୁଥିବା ଡାକ୍ତରମାନଙ୍କର ସହାୟତା ମଧ୍ୟ ନିଆଯିବ । ପୂର୍ବରୁ ଟ୍ରେନଗୁଡ଼ିକରେ ପ୍ରାଥମିକ ଚିକିତ୍ସା ବାକ୍ସ ରହୁଥିଲା ।