କାଶ୍ମୀରକୁ ନେଇ ଐତିହାସିକ ନିଷ୍ପତି ପରେ ସାରା ଦେଶରେ ହାଇଆଲର୍ଟ । ଘାଟିରେ ବଢିଲା ସୁରକ୍ଷା, ଅଧିକ ୮ ହଜାର ଯବାନ ମୁତୟନ ।

260

କନକ ବ୍ୟୁରୋ : ରାଜ୍ୟସଭାରେ ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଆଗତ ପରେ ଏବେ ସବୁଠୁ ବଡ ଚ୍ୟାଲେଂଜ ହେଉଛି ଘାଟିରେ ସୁରକ୍ଷା । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସହ ଘାଟିରେ ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଘାଟିକୁ ପୁଣି ଅତିରିକ୍ତ ୮ ହଜାର ଯବାନ ପଠାଇଛନ୍ତି କେନ୍ଦ୍ର ସରକାର ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ସମଗ୍ର ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଘୋଷଣା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି । ସମସ୍ତ ରାଜ୍ୟର ଡିଜିପି ଓ ମୁଖ୍ୟ ଶାସନ ସଚିବମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡିକରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯିବାକୁ କୁହାଯାଇଛି ।

କଶ୍ମୀର ପୁର୍ନଗଠନ ବିଲ ଆଗତ ପରେ ଘାଟିରେ ସୁରକ୍ଷା ବଢିଲା । ଆଗରୁ ଜାମ୍ମୁକାଶ୍ମୀରରେ ୨୮ ହଜାର ସିଆରପିଏଫ ଯବାନ ମୁତୟନ ଥିବା ବେଳେ ଆଜି ଆଉ ୮ ହଜାର ଯବାନଙ୍କୁ ପଠାଯାଇଛି । ଆଜି ସକାଳୁ ସି-୧୭ ପରିବହନ ହେଲିକପ୍ଟର ମାଧ୍ୟମରେ ଶ୍ରୀନଗରରେ ଓହ୍ଲାଇ ଦିଆଯାଇଛି । ୨ ସପ୍ତାହ ମଧ୍ୟରେ ପ୍ରାୟ ୪୦ହଜାର ସୁରକ୍ଷାକର୍ମୀଙ୍କୁ କାଶ୍ମୀର ପଠାଯାଇଛି । ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ଥିବା ରାଷ୍ଟ୍ରୀୟ ରାଇଫଲସ ଏବଂ ଅନ୍ୟାନ୍ୟ ୟୁନିଟର ଯବାନମାନଙ୍କୁ ହାଇଆଲର୍ଟ ରଖାଯାଇଛି ।

ଗୁରୁବାର ସନ୍ଧ୍ୟାରୁ ଭାରତୀୟ ବାୟୁସେନାର ଏକାଧିକ ଯୁଦ୍ଧ ବିମାନ ଜାମ୍ମୁକାଶ୍ମୀର ଆକାଶରେ ପାଟ୍ରୋଲିଂ କରୁଛନ୍ତି । ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀମାନଙ୍କୁ ମୁତୟନ କରାଯାଇଛି । ବିଶେଷକରି ସମ୍ବେଦନଶୀଳ ସ୍ଥାନମାନଙ୍କରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନମାନଙ୍କୁ ମୁତୟନ କରାଯାଇଛି ।

ଜାମ୍ମୁ-କାଶ୍ମୀରର ସମସ୍ତ ପ୍ରବେଶ ପଥକୁ ସେଂଟ୍ରାଲ ଆର୍ମଡ ପାରାମିଲିଟାରୀ ଫୋର୍ସ ନିଜ କବଜାକୁ ନେଇଛି । ବିଭିନ୍ନ ଧର୍ମାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଜମ୍ମୁ-କଶ୍ମୀର ଗସ୍ତ କରିବେ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ଆଉ ଏହାରି ଭିତରେ ପୁରା ଦେଶର ନଜର ଏବେ କାଶ୍ମୀର ଉପରେ ରହିଛି ।