କାଳବୈଶାଖୀର ତାଣ୍ଡବ: ୟୁପି ସମେତ ସାରା ଦେଶରେ ଝଡ଼ତୋଫାନ ନେଲା ୮୬ରୁ ଅଧିକ ଜୀବନ । ଓଡ଼ିଶାରେ ବି ବଜ୍ରପାତରେ ୭ ମୃତ । ୨୪ ଘଂଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି

38

କନକ ବ୍ୟୁରୋ: ଏଥର ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ ଆତଙ୍କ ପ୍ରାୟତଃ ନାହିଁ। ତା’ ଜାଗା ନେଇଛି ପ୍ରଳୟଙ୍କରୀ କାଳବୈଶାଖୀ। ସାରା ରାଜ୍ୟରେ ଏହା ବିଭୀଷିକା ଖେଳାଇ ଦେଇଛି। ଗତକାଲି ସୁଦ୍ଧା ୬ଟି ଜିଲ୍ଲାର କାଳବୈଶାଖୀ ଜନିତ କ୍ଷୟକ୍ଷତି ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ କାଳବୈଶାଖୀରେ ୪ଟି ଜିଲ୍ଲାର ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ୨ଟି ଜିଲ୍ଲାରେ ପ୍ରାୟ ୨୭୮୨୨ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ତେବେ ବଜ୍ରପାତ ଆହୁରି ଭୟାବହ ରୂପ ଧାରଣ କରିଛି। ଗତ ଏପ୍ରିଲ୍ ମାସରୁ ଗତକାଲି ପର୍ଯ୍ୟନ୍ତ ୪୭ଜଣଙ୍କର ପ୍ରାଣ ନେଇଛି ବଜ୍ରପାତ।

ଗତକାଲି ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ୬ଟି ଜିଲ୍ଲାର କାଳବୈଶାଖୀ ଜନିତ କ୍ଷୟକ୍ଷତି ରିପୋର୍ଟ ମିଳିଛି । ଅବଶ୍ୟ, ଏହା ଆଂଶିକ କ୍ଷୟକ୍ଷତି ରିପୋର୍ଟ। କାଳବୈଶାଖୀରେ ବରଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗତ ଏପ୍ରିଲ୍ ୨୮ ଏବଂ ୩୦ ତାରିଖରେ ଏହି ଜିଲ୍ଲାର ସର୍ବାଧିକ ୨୬୮୯୯ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ୫ଟି ଗୃହ ଭାଙ୍ଗିଛି। ଏହି ରିପୋର୍ଟ ଆଧାରରେ ୩୬ କୋଟି ଟଙ୍କାର କୃଷି ଇନପୁଟ୍ ସବସିଡି ଏବଂ ଘରଭଙ୍ଗା ସହାୟତା ବାବଦରେ ୨୦ ହଜାର ଟଙ୍କା ଜିଲ୍ଲାପାଳଙ୍କୁ ଦିଆଯାଇଛି। ଗତ ଏପ୍ରିଲ ୩୦ ତାରିଖରେ ସୋନପୁର ଜିଲ୍ଲାରେ ୯୨୩ ହେକ୍ଟର ଚାଷଜମି ନଷ୍ଟ ହେବା ସହିତ ୫୬୧ଟି ଘର ଭାଙ୍ଗିଛି। କୃଷି ଇନପୁଟ୍ ସବସିଡି ବାବଦରେ ୩.୩୫ କୋଟି ଏବଂ ଘରଭଙ୍ଗା ସହାୟତା ପାଇଁ ୧୭.୯୫ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ ଦିଆଯାଇଛି।

ଗତ ୩ ତାରିଖରେ ମାଲକାନଗିରି ଜିଲ୍ଲରେ ହୋଇଥିବା କାଳବୈଶାଖୀ ଯୋଗୁଁ ୪ଜଣ ବ୍ୟକ୍ତି ଆହତ ହୋଇଥିଲେ। ୫୭୯ଟି ଘର ଭାଙ୍ଗିଥିଲା। ୫ଟି ଗାଈଗୋରୁ ମରିଥିଲେ। ବିପନ୍ନମାନଙ୍କ ପାଇଁ ପଲିଥିନ୍ ବଣ୍ଟନ କରାଯାଇଥିଲା। ୪୦୦ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇଦେବା ସହିତ ଖାଦ୍ୟ ସହାୟତା ବଣ୍ଟନ କରାଯାଇଥିଲା। ଗତ ମାର୍ଚ ୩୧, ଏପ୍ରିଲ ୧ ଓ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ହୋଇଥିଲା। ଫଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ୧୫ଟି ଘର ଭାଙ୍ଗିଥିଲା। ଘରଭଙ୍ଗା ସହାୟତା ପାଇଁ ୫ ଲକ୍ଷ ୩୧ ହଜାର ୨୦୦ ଟଙ୍କା ଏବଂ ଲୁଗାପଟା, ବାସନକୁସନ ବଣ୍ଟନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାର ଏପ୍ରିଲ ୧ ତାରିଖରେ ହୋଇଥିବା କାଳବୈଶାଖୀ ୨ଟି ଘର ଭାଙ୍ଗିଥିଲା। ତେବେ ସଂପୂର୍ଣ୍ଣ ରିପୋର୍ଟ ଏସଆରସିଙ୍କ ହସ୍ତଗତ ହୋଇନାହିଁ।

ଏପ୍ରିଲ୍-ମେ’ ମାସରେ କାଳବୈଶାଖୀ ବା ଘୂର୍ଣ୍ଣିଝଡ଼ରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ବଜ୍ରପାତରେ ୪୭ଜଣ ଅକାଳରେ ଜୀବନ ହରାଇଛନ୍ତି। ଏହା ପୂର୍ବରୁ ଗତ ବର୍ଷକ ଭିତରେ ଅର୍ଥାତ୍ ମାର୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ୪୫୬ଜଣ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଏସଆରସିଙ୍କ ସୂତ୍ରରୁ ଜଣାଯାଇଛି।