କ୍ଲିନିକକୁ ଆସିଥିଲେ ଚିକିତ୍ସା ପାଇଁ, ହେଲେ ଭୁଲ ଇଞ୍ଜେକସନ ନେଲା ରୋଗୀର ଜୀବନ, ଉତ୍ୟକ୍ତ ହୋଇ ରାସ୍ତା ରୋକ କଲେ ଲୋକ

327

କନକ ବ୍ୟୁରୋ : କଟକ ଜିଲ୍ଲାର ନିଆଳିସ୍ଥିତ ବହୁ ପୁରାତନ ନିଆଳି ପବ୍ଲିକ୍ କ୍ଲିନିକ ରେ ଚିକିତ୍ସାଧୀନ ଅବସ୍ଥାରେ ୭ ବର୍ଷର ନାବାଳିକା କ୍ରିଷ୍ଣା ନାୟକଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକାର ସଂପର୍କୀୟମାନେ କ୍ଲିନିକ୍ ଭିତରେ ପଶି ଭଂଗାରୁଜା କରିବା ସହିତ କିଛି ସମୟ ପାଇଁ ରାସ୍ତାରୋକ କରିଛନ୍ତି। ନିଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ନାବାଳିକାଙ୍କ ମା’ ରୀତା ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଝିଅ କ୍ରିଷ୍ଣା ନାୟକଙ୍କୁ ଥଣ୍ତା ଜ୍ବର ହୋଇଥିବାରୁ ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ସେ ଝିଅକୁ ନିଆଳିର ପବ୍ଲିକ୍ କ୍ଲିନିକକୁ ଚିକିତ୍ସା ଲାଗି ଆଣିଥିଲେ।

କ୍ଲିନିକରେ ପହଂଚିବା ପରେ ଡାକ୍ତର ରାଧାନାଥ ପଣ୍ତା ଚିକିତ୍ସା କରି ଇଂଜେକ୍ସନ୍ ଦେବା ପାଇଁ ପ୍ରେସକ୍ରିପସନ ସହ ଉପର ମହଲାକୁ ପଠାଇଥିଲେ। ଉପରମହଲାସ୍ଥିତ ମେଡିସିନ୍ ଷ୍ଟୋରରେ ଏହି ଇଂଜେକ୍ସନ୍ ଦିଆଯାଇଥିଲା। ଏହାପରେ ଝିଅଟି ବାନ୍ତିକରିବା ସହିତ ହାତଗୋଡ଼ ଛାଟି ଜିଭ କାମୁଡ଼ି ପକାଇଥିଲା। ଏ ସଂପର୍କରେ ଡାକ୍ତର ପଣ୍ଡାଙ୍କୁ କହିବାରୁ ‘କିଛି ସମୟ ଅପେକ୍ଷା କର, ଝିଅ ଭଲ ହୋଇଯିବ’ ବୋଲି କହିଥିଲେ। ମାତ୍ର ଏଥିରେ ସନ୍ଦେହ ହେବାରୁ ଝିଅକୁ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ବେଳେ ସେହି ଝିଅର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଭୁଲ୍ ଇଂଜେକ୍ସନ୍ ଯୋଗୁ ଝିଅ ମୃତ୍ୟୁବରଣ କରିଥିବା ନେଇ ମା’ ରୀତା ନାୟକଙ୍କ ସହିତ ପରିବାର ଲୋକେ ଅଭିଯୋଗ କରି ଉତ୍ତେଜିତ ହୋଇପଡ଼ିଥିଲେ।

କ୍ଲିନିକ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତେଜିତ ଲୋକେ ନିଆଳି–ଫୁଲନଖରା ରାଜ୍ୟ ରାଜପଥର କ୍ଲିନକ୍ ଛକରେ ଝିଅର ଶବ ରଖି ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ଲୋକ ଓ ପୁଲିସର ହସ୍ତକ୍ଷେପ ଫଳରେ ରାସ୍ତା ଅବରୋଧ ହଟିଥିଲା। ଏହାପରେ ମୃତ ନାବାଳିକାର ମା’ ଓ ସଂପର୍କୀୟ ଲୋକେ ଝିଅର ଶବକୁ ଧରି କ୍ଲିନିକ୍ ଆଗରେ ଧାରଣାରେ ବସିଥିଲେ। ନିଆଳି ଆଇଆଇସି ବିଜୟ କୁମାର ମଲ୍ଲିକ୍ ଘଟଣାସ୍ଥଳରେ ପହଂଚି ଝିଅର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି କଟକ ପଠାଇଥିବା ଜଣାଯାଇଛି।